ମାଲକାନଗିରି: ମାଲକାନଗିରି ଜିଲ୍ଲାର ପ୍ରାୟତଃ ସମସ୍ତ ବନାଞ୍ଚଳ ଅଂଚଳରେ ଲୋକେ ଜଂଗଲରେ ନିଆଁ ଲଗାଇ ଦେଉଛନ୍ତି। ବନ ଅଧିକାରୀ ସମେତ କର୍ମକର୍ତ୍ତାମାନେ ନିଆଁ ଲିଭାଇବାକୁ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲା ଏବେ ଗରମରେ ସିଝୁଥିବା ବେଳେ ବନ କର୍ମଚାରୀ ଗରମକୁ ଖାତିରି ନକରି ନିଆଁ ଲିଭାଉଥିବା ଦେଖିବାକୁ ମିଳିଛି। ମାଥିଲି ବନାଞ୍ଚଳରେ ଏବେ ସବୁ ସ୍ଥାନରେ ନିଆଁ ଲଗାଇ ଦିଆଯାଇଛି। ବନ ବିଭାଗର ସଚେତନ ପରେ ବି ଲୋକେ ସୁଧୁରିଲେନି। ଗାଁ ଗାଁରେ ବନ ବିଭାଗ ବୈଠକ କରିବା ପରେ ବି ଲୋକେ ବୈଠକ ପରେ ପୁଣି ଜଂଗଲରେ ନିଆଁ ଲଗାଇ ଦେଲେ। ଏବେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ନିଆଁକୁ ଆୟତ୍ତ କରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି।
ବନ ବିଭାଗକୁ ଏଥିପାଇଁ ନାକେଦମ ହେବାକୁ ପଡିଲାଣି। କେବଳ ବଣ୍ଡାଘାଟିରେ ହିଁ ନୁହେଁ ବରଂ ଜିଲ୍ଲାର ସମସ୍ତ ଅଂଚଳରେ ଲୋକେ ଜଂଗଲରେ ନିଆଁ ଲଗାଇ ମଜା ଦେଖୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଆଁ ଲାଗିବା ଫଳରେ ବହୁ ମୂଲ୍ୟବାନ ଗଛଗୁଡିକ ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଜଂଗଲି ଜନ୍ତୁ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି। ନିଆଁକୁ ଆୟତ୍ତ କରିବାକୁ ଜିଲ୍ଲାସ୍ତରରେ ଘନ ଘନ ବୈଠକ ମଧ୍ୟ ବନ କର୍ମଚାରୀଙ୍କୁ ନେଇ ବସୁଛି। ଲୋକେ ସଚେତନ ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଇଛି। ଜିଲ୍ଲାର ଚିତ୍ରକୋଣ୍ଡା, କାଲିମେଳା, ବାଲିମେଳା, ପଡ଼ିଆ ଅଂଚଳରେ ମଧ୍ୟ ବହୁ ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବନ ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଗଲେ ହୁଏତ ଆଗାମୀ ଦିନରେ ବନାଗ୍ନି କମିବ ବୋଲି କୁହାଯାଇଛି।