ତାଳଚେର: ତାଳଚେର ପୁଲିସ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡ଼ି ପୋଡ଼ି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ବିଜେପି କର୍ମୀ କୁହାଯାଉଥିବା ଏହି ୨ ଜଣ ହେଲେ, ସ୍ବାଧୀନ ଥମ୍ବ ଓ ଜିତେନ ମହାନ୍ତି। ସ୍ବାଧୀନ ଯୁବ ସମାଜସେବୀ ସଂଗଠନ(ଜେଏସ୍ଏସ୍)ର ସଭାପତି ଥିବାବେଳେ ଜିତେନ ଏହାର ସଂପାଦକ ମଧ୍ୟ ଅଛନ୍ତି। ଗତ ୭ ତାରିଖ ରାତିରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଜଣେ ସମର୍ଥକଙ୍କ ଝିଅର ବାହାଘର ଉତ୍ସବରୁ ଫେରି ଭରତପୁରଠାରେ ଥିବା କ୍ୟାମ୍ପ ଅଫିସରେ ଶୋଇଥିଲେ। ପାଖ କୋଠରୀରେ ତାଙ୍କ ଗାଡ଼ିଚାଳକ ଓ ଅନ୍ୟ ଜଣେ ସହଯୋଗୀ ଶୋଇଥିଲେ। ବିଧାୟକଙ୍କ ଫର୍ଚ୍ୟୁନର କାର୍ କ୍ୟାମ୍ପ ଅଫିସ ପରିସରରେ ରଖାଯାଇଥିଲା। ରାତି ପ୍ରାୟ ଦୁଇଟା ବେଳେ ବିଧାୟକ ଓ ତାଙ୍କ ଗାଡ଼ିଚାଳକ ଶୋଇଥିବା କୋଠରୀର ବାହାର ପଟୁ କବାଟ ଦେଇ କେହି ଦୁର୍ବୁତ୍ତ କାର୍ ଓ ପାଖରେ ଥିବା ଏକ ଆମ୍ବୁଲାନସରେ ନିଅାଁ ଲଗାଇ ଦେଇଥିଲା। ରାଜ୍ୟର ଶାସକ ଦଳର ବିଧାୟକଙ୍କ ସହିତ ଏଭଳି ବାରମ୍ବାର ଘଟୁଥିବା ବେଳେ ଅଭିଯୁକ୍ତ ଧରାନପଡ଼ିବା ପୁଲିସ ପାଇଁ ଚ୍ୟାଲେଞ୍ଜ୍ ହୋଇଥିଲା।
ଗତ ୯ ତାରିଖ ଦିନ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କ ଉପସ୍ଥିତିରେ ଅନୁଗୁଳ ଏସ୍ପି, ତାଳଚେର,କଲିୟରୀ ଓ ବିକ୍ରମପୁର ଥାନା ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ଆଠମଲ୍ଲିକ ଏସ୍ଡିପିଓ ଭବାନୀ ଶଙ୍କର ଉଦଗାତାଙ୍କ ନେତୃତ୍ବରେ ଏକ କୋର୍ ଟିମ ଗଠନ ହୋଇଥିଲା। ଏସ୍ଡିପିଓ ଶ୍ରୀ ଉଦ୍ଗାତା ତାଳଚେରରେ ଡେରା ପକାଇ ଅପରାଧୀ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ବିଧାୟକଙ୍କୁ ବଦନାମ କରିବାକୁ ପୂର୍ବରୁ କାଷ୍ଟିଂ କାଉଚ୍ ଘଟଣା ଘଟି ସାରିଥିଲା। ୯ ତାରିଖରୁ ହିଁ କାଷ୍ଟିଂ କାଉଚ୍ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ଥମ୍ବଙ୍କ ସମେତ ୬୦ଟି ମୋବାଇଲ ଫୋନର କଲ୍ ରେକର୍ଡ କରାଯାଇଥିଲା। ଏଥିସହିତ କେନ୍ଦ୍ରୀୟ ଚିକିତ୍ସାଳୟ, ଜଗନ୍ନାଥ କ୍ଷେତ୍ର ଜିଏମ୍ ଅଫିସ, ଭରତପୁର ଜିଏମ୍ ଅଫିସ, କଳମଛୁଇଁଠାରେ ଥିବା ଏକ ଔଷଧ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଅନୁଧ୍ୟାନ କରାଯାଇଥିଲା। କଲ୍ ରେକର୍ଡ କରାଯିବାର କିଛିଦିନ ପରେ ଅଭିଯୁକ୍ତମାନେ ଏ ସଂକ୍ରାନ୍ତରେ ଜାଣିପାରିଥିଲେ। ତେଣୁ ଅଧିକାଂଶ ସମୟ ସେମାନେ ମୋବାଇଲ ଫୋନକୁ ବନ୍ଦ ରଖୁଥିଲେ। ମୋବାଇଲ କଲ୍ ରେକର୍ଡ, ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ ବେଳେ ଭରତପୁର ଗାଡ଼ି ପୋଡ଼ି ମାମଲାରେ ତିନି ଜଣଙ୍କର ସଂପୃକ୍ତି ଥିବା ପୁଲିସ ଜାଣିପାରିଥିଲା। ଏହାପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏକ ପୂର୍ବ ମାମଲାରେ ଥାନାକୁ ଆସି ଦସ୍ତଖତ ମାରିବାକୁ ପଡ଼ିବ ବୋଲି ତାଳଚେର ଥାନାର ଜଣେ ଅଧିକାରୀ ସ୍ୱାଧୀନ ଥମ୍ବଙ୍କୁ ଗତକାଲି ସନ୍ଧ୍ୟାରେ ଡାକିଥିଲେ। ସ୍ବାଧୀନ ସେଠାରେ ପହଂଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ବିଳମ୍ବିତ ରାତିରେ କୋର୍ ଟିମ୍ ତାଳଚେର ସହରସ୍ଥିତ ଜିତେନ ମହାନ୍ତିଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲେ। ଏକ ସ୍କୁଟିରେ ଯାଇ ଦୁଇ ଅଭିଯୁକ୍ତ ଏହି କାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଭୁବନେଶ୍ୱର କାର୍ ପୋଡ଼ି ତଥା ଅନ୍ୟ ଦୁଇଟି ମାମଲାରେ ସେମାନଙ୍କ ସଂପୃକ୍ତ ନାହିଁ ବୋଲି ଅଭିଯୁକ୍ତମାନେ ପୁଲିସ ଆଗରେ ପ୍ରକାଶ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଦୁଇ ଅଭିଯୁକ୍ତଙ୍କୁ ଆଇପିସିର ଦଫା ୧୨୦ ବି ଓ ୪୩୫ରେ କୋର୍ଟଚାଲାଣ କରାଯାଇଛି। ତେବେ ଦୁଇ ଅଭିଯୁକ୍ତ କୋର୍ଟରୁ ଜାମିନରେ ବାହାରିଛନ୍ତି। ଏହି ମାମଲାରେ ତୃତୀୟ ଅଭିଯୁକ୍ତ ଜଣକ ଏବେ ଫେରାର ଅଛି। ସେ ବି ଖୁବ୍ଶୀଘ୍ର ଗିରଫ ହେବ ବୋଲି କୋର୍ ଟିମ୍ ମୁଖ୍ୟ ଶ୍ରୀ ଉଦ୍ଗାତା ସୂଚନା ଦେଇଛନ୍ତି।