ରାଉରକେଲା : ଗତକାଲି ବିଳମ୍ବିତ ରାତିରେ ରାଉରକେଲାସ୍ଥ ଜାତୀୟ ବୈଷୟିକ ପ୍ରତିଷ୍ଠାନ (ଏନ୍ଆଇଟି)ର ୱାର୍କ୍ସ ଓ ପରଚେଜ୍ ଡିପାଣ୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ, କାଗଜପତ୍ର, ୮ରୁ ଅଧିକ କମ୍ପୁଟର, ଜେରକ୍ସ ମେସିନ୍ ଓ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ବହୁ ଗୁରୁତ୍ବପୂର୍ଣ୍ଣ ଡାଟା ନଷ୍ଟ ହୋଇଯାଇଛି। ରାତି ପ୍ରାୟ ୨ଟାରେ କୋଠରୀ ଭିତରୁ ଧୂଆଁ ବାହାରୁଥିବା ଦେଖି ସୁରକ୍ଷା କର୍ମଚାରୀ, ବିଭାଗୀୟ ଅଧିକାରୀ ଓ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଖବର ପାଇ ଦୁଇଟି ଦମକଳଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ପାଖରେ ଥିବା ଅନ୍ୟ କୋଠରୀଗୁଡ଼ିକ ନିଆଁରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରତିଷ୍ଠାନର କୁଳସଚିବ ସନ୍ତୋଷ କୁମାର ଉପାଧ୍ୟାୟ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ମରଣଯୋଗ୍ୟ ଯେ ଏହା ପୂର୍ବରୁ ପ୍ରାୟ ୬ ମାସ ତଳେ ଏନ୍ଆଇଟିର ବିଜ୍ଞାନଗାର ସମେତ ଅନ୍ୟ ବିଭାଗରେ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ଯାଇଥିଲା। ଅଗ୍ନିନିର୍ବାପକ ବ୍ୟବସ୍ଥା ଥିବା ସତ୍ବେ ବାରମ୍ବାର ଏନ୍ଆଇଟି ପରି ଜାତୀୟ ଅନୁଷ୍ଠାନର ନିଆଁ ଲାଗିବା ଅନୁଷ୍ଠାନର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ଛିଡା କରିଛି। କେଉଁ କାରଣରୁ ଓ କାହିଁକି ନିଆଁ ଲାଗିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଏନ୍ଆଇଟି ନିର୍ଦ୍ଦେଶକ ଡ. ଅନିମେଶ ବିଶ୍ବାସ ଏକ ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ଅଗ୍ନିକାଣ୍ଡର କାରଣ ବିଷୟରେ ବିସ୍ତୃତ ରିପୋର୍ଟ ସଂଗ୍ରହ କରି ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନ ସୁଦ୍ଧା ରିପୋର୍ଟ ଦେବାକୁ କମିଟିର ସଦସ୍ୟମାନଙ୍କୁ କୁହାଯାଇଛି।
ଅନ୍ୟପକ୍ଷରେ ବିଳମ୍ବିତ ରାତିରେ କୋଟି କୋଟି ଟଙ୍କାର କାମର ନଥିପତ୍ର ଥିବା ଗୁରୁତ୍ବପୂର୍ଣ୍ଣ ୱାର୍କ୍ସ ଓ ପରଚେଜ୍ ଷ୍ଟୋର୍ରୁମ୍ରେ ଘଟିଥିବା ଏ ଅଗ୍ନିକାଣ୍ଡକୁ ନେଇ ଏକ ଭିନ୍ନ ମତ ମଧ୍ୟ ପ୍ରକାଶ ପାଉଛି। ପ୍ରମାଣ ଲୁଚାଇବାକୁ କେହି ଜାଣି ଶୁଣି ନିଆଁ ଲଗାଇ ଦେଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।