ନିଆଁ ବିପତ୍ତି

ଗେଟ୍ଟାବସ୍ତିର ୬୦ ଘର ଭସ୍ମ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଟାଉନ୍‌ ଥାନା କର୍ପୋରେସନ୍‌ ରୋଡ୍‌ରେ ଥିବା ମୁସ୍‌ଲିମ ବସ୍ତି(ଗେଟ୍ଟା ବସ୍ତି)ରେ ନିଆଁ ଲାଗି ୬୦ରୁ ଊର୍ଧ୍ୱ ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଗ୍ୟାସ୍‌ ଲିକ୍‌ରୁ ଏପରି ଘଟଣା ଘଟିଥିବା ନେଇ ଅନୁମାନ କରାଯାଉଛି। ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଗ୍ନିବିପନ୍ନଙ୍କୁ ନିକଟସ୍ଥ ସ୍କୁଲ ଓ କଲ୍ୟାଣ ମଣ୍ଡପରେ ପ୍ରଶାସନ ତରଫରୁ ଥଇଥାନ କରାଯାଇଛି। ଏହି ଅଗ୍ନିକାଣ୍ଡରେ ୨୨ରୁ ୨୫ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

ଆଜି ପ୍ରାୟ ସାଢ଼େ ୧୨ଟା ବେଳେ ହଠାତ୍‌ ବସ୍ତିରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ଦେଖୁ ଦେଖୁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଏପରିକି ନିଆଁ ଲାଗିଥିବା ଘରେ ଥିବା ୪ଟି ସିଲିଣ୍ଡର୍‌ ବ୍ଲାଷ୍ଟ ହୋଇଥିଲା। ଫଳରେ ଘର ଟିଣ ଛପର ଉଡ଼ି ଯାଇଥିଲା। ୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲା।

ଘର ସହ ମହିଳା ଜଳିଗଲେ

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ନୂଆଗାଁ ପଞ୍ଚାୟତର ଘୁଣ୍ଟିବଣି ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ସୁନାରାମ ମାର୍ଣ୍ଡିଙ୍କ ୩ ବଖରା ଘର ସଂପୂର୍ଣ୍ଣ ଜଳିଯାଇଛି। ଘରେ ଥିବା ଗୋରୁଙ୍କୁ ବଞ୍ଚାଇବାକୁ ଯାଇ ସୁନାରାମଙ୍କ ପତ୍ନୀ ଦୁଲୁ ମାର୍ଣ୍ଡି (୪୫) ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଗତକାଲି ସୁନାରାମ ଓ ପରିବାରର ଅନ୍ୟ ସଦସ୍ୟମାନେ ଦାମୋଦର ମେଳାକୁ ଯାଇଥିବା ବେଳେ ଘରେ ନିଆଁ ଲାଗିଥିଲା। ସେତେବେଳେ ଦୁଲୁ ଏକୁଟିଆ ଥିଲେ। ନିଅାଁ ଲାଗିବା ଦେଖି ଦୁଲୁ ପ୍ରଥମେ ଯାଇ ଗୁହାଳରୁ ଗୋରୁଗୁଡ଼ିକୁ ପଘାରୁ ଖୋଲିଥିଲେ। ଏହି ସମୟରେ ଘରଉପରୁ ଜଳୁଥିବା ଚାଳ ନିଅାଁହୁଳା ତାଙ୍କ ଉପରେ ପଡ଼ିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଥିଲା।

ଟ୍ରକ୍‌ରେ ନିଆଁ, ୫୦ ନୂଆ ବାଇକ୍‌ ଜଳିଗଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ସଦରଥାନା ଅନ୍ତର୍ଗତ ରିଷିଗାଁ ନିକଟ ରିଲାଏନ୍ସ ପେଟୋ୍ରଲ ପମ୍ପ ସମ୍ମୁଖରେ ଗୁରୁବାର ଏକ ବାଇକ ବୋଝେଇ ଟ୍ରକରେ ନିଆଁ ଲାଗିଯିବାରୁ ୫୦ଟି ନୂଆ ହିରୋ ବାଇକ୍‌ ଜଳିଯାଇଛି। ରାଜସ୍ଥାନ ଜୟପୁରରୁ ଖୈତାନ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ଟ୍ରାନ୍ସପୋର୍ଟ କମ୍ପାନିର ଟ୍ରକ (ଆରଜେ ୫୨ ଜିଏ ୩୧୬୮)ରେ କାନପୁରର ଡ୍ରାଇଭର ଶିବଶଙ୍କର କୁମାର କୋରାପୁଟ ଜୟପୁର ଅଭିମୁଖେ ଆସୁଥିଲେ। ହିରୋ କମ୍ପାନିର ୫୦ଟି ନୂଆ ବାଇକ ବୋଝେଇ କରି ହରିଦ୍ୱାର ଠାରୁ ଜୟପୁରର ଏକ ସୋରୁମକୁ ଯାଉଥିଲା। ରିଷିଗାଁ ରିଲାଏନ୍ସ ପେଟୋ୍ରଲ ପମ୍ପ ସମ୍ମୁଖରେ ଟ୍ରକଟିକୁ ଅଟକାଇ ଡ୍ରାଇଭର ଶୋଇ ପଡ଼ିଥିଲେ। ହଠାତ ଗାଡ଼ିରେ ନିଆଁ ଲାଗିଯାଇଥିଲା। ତୁରନ୍ତ ଦମକଳ କେନ୍ଦ୍ରକୁ ଫୋନ କରିବାରୁ ଘଟଣାସ୍ଥଳରେ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ୫୦ଟି ନୂଆ ବାଇକ ଭସ୍ମୀଭୂତ ହୋଇ ସାରିଥିଲା।

ରାସ୍ତାରେ ଜଳିଗଲା ଚଳନ୍ତା କାର

ବାଲେଶ୍ୱର : ବାଲେଶ୍ୱର ସହରକୁ ଆସୁଥିବା ଏକ ରିନଲ୍ଟ ଡଷ୍ଟର କାର୍‌ ଆଜି ମଧ୍ୟାହ୍ନରେ ଜଳିଯାଇଛି। ତେବେ ଏହି ଦୁର୍ଘଟଣାରୁ ତିନି କାର୍‌ ଆରୋହୀ ଅଳ୍ପକେ ବର୍ତିଯାଇଛନ୍ତି।

ସୂଚନା ଅନୁଯାୟୀ, ଗାଡ଼ିଟି ଭୁବନେଶ୍ୱରରୁ ବାଲେଶ୍ୱରକୁ ଆସିଥିଲା। ଗାଡ଼ିରେ ‘ମଟ୍ରୋଲା ଇନୋଭା’ କମ୍ପାନିର ୩ ଜଣ କର୍ମଚାରୀ କଟକ ନିଆଳିର ଭୂପେଶ କୁମାର ବାରିକ, ବକ୍ସିବଜାର ଅଞ୍ଚଳର ରଣବୀର ମିଶ୍ର ଓ ଉତ୍ତରପ୍ରଦେଶ ଲକ୍ଷ୍ନୌ ଶ୍ରୁତିବିହାର ଅଞ୍ଚଳର ସୁନୀଲ ସିଂ କମ୍ପାନି କାମରେ ଆସିଥିଲେ। ହେଲେ ସେମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଏପରି ଅଘଟଣ ଘଟିଥିଲା। ଗାଡ଼ି ଚାଳକ ଭୂପେଶଙ୍କ କହିବାନୁଯାୟୀ, ତାମୁଳିଆ ରେଳ ଫାଟକ ଟପିବା ପରେ ଇଞ୍ଜିନ୍‌ରୁ ଧୂଆଁ ବାହାରୁଥିବା ଦେଖିଲେ। ହରିପ୍ଲାଜା ନିକଟରେ କାର୍‌ର ସାମ୍ନା ପାର୍ଶ୍ୱ ହଠାତ୍‌ ଜଳି ଉଠିଥିଲା। ପରିସ୍ଥିତି ଦେଖି ଗାଡ଼ି ଅଟକାଇ ସେମାନେ ବାହାରି ଆସିଥିଲେ। ରାସ୍ତା ମଝିରେ ଜଳନ୍ତା କାର୍‌ଟି ଅଟକି ରହିଥିବାରୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ନିଆଁ ଲିଭାଇ କାର୍‌ ହଟାଇବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି।

ଜଳିଗଲେ ମା’ ଓ ଶିଶୁ କନ୍ୟା

ନବରଙ୍ଗପୁର/କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ଚିରମା ଗାଁରେ ଟଙ୍କଧର ଭତ୍ରାଙ୍କ ପତ୍ନୀ ନୀଳାବତୀ ଭତ୍ରା (୨୩) ଏବଂ ୪ ମାସର ଶିଶୁ କନ୍ୟାଙ୍କ ଅର୍ଧଦଗ୍‌ଧ ଶବ ଆଜି ସକାଳେ ତାଙ୍କ ଘର ପଛପଟୁ ମିଳିଛି। ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା। ତେଣୁ ତାଙ୍କୁ ହତ୍ୟା କରି ପୋଡ଼ି ଦିଆଯାଇଥିବା ନେଇ ମୃତ ନୀଳାବତୀଙ୍କ ଭାଇ ଥାନାରେ ଏତଲା ଦେଇଛନ୍ତି। ପୁଲିସ ସ୍ୱାମୀ ଟଙ୍କଧରକୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୭ଟାରେ ସ୍ଥାନୀୟ ଟଙ୍କଧର ଭତ୍ରାଙ୍କ ବାରିପଟେ ହୁତ୍‌ହୁତ୍‌ ହୋଇ ନିଆଁ ଜଳୁଥିବା ପଡୋଶୀ ଦେଖିଥିଲେ। ଗାଁର କିଛି ଲୋକଙ୍କୁ ଡାକି ଘଟଣା ସ୍ଥଳକୁ ଯିବା ବେଳକୁ ଟଙ୍କଧରଙ୍କ ୫ମ ପତ୍ନୀ ନୀଳାବତୀ ଭତ୍ରା (୨୩) ଓ ୪ମାସର ଶିଶୁ କନ୍ୟା ଜଳୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଟଙ୍କଧରକୁ ଘଟଣା ସ୍ଥଳକୁ ଡକାଇଥିଲେ। ଗ୍ରାମବାସୀଙ୍କ ପ୍ରଶ୍ନର ଉତ୍ତର ନ ଦେଇ ୩ବର୍ଷର ପୁଅକୁ ନେଇ ଟଙ୍କଧର ସିଧା କୋଡ଼ିଙ୍ଗା ଥାନାକୁ ଚାଲି ଯାଇଥିଲା। ଟଙ୍କଧରକୁ ଥାନାରେ ଅଟକ ରଖି କୋଡିଗାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ନଥିବା ନେଇ ଜାଣିବାରୁ ପୁଲିସ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର