ଧମା : ସମ୍ବଲପୁର-ସୋନପୁର ୧୫ ନମ୍ୱର ରାଜ୍ୟ ରାଜପଥରେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ମାଳତୀ ଗୁଣ୍ଡେରପୁରଠାରେ ଥିବା ଏକ ପାଇପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷଲକ୍ଷ ଟଙ୍କାର ପାଇପ୍ ପୋଡ଼ି ଯାଇଛି।
ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୯ଟାରେ ଉକ୍ତ ଗୋଦାମରେ ନିଆଁ ଲାଗି ଯାଇଥିଲା। ଏହି ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ୭ କିଲୋମିଟର ଦୂର ସମ୍ବଲପୁର ସହରର ମଧ୍ୟଭାଗ ପର୍ଯ୍ୟନ୍ତ ଦେଖା ଯାଉଥିଲା। ପ୍ଲାଷ୍ଟିକ ଯୋଗୁ ତୁରନ୍ତ ନିଆଁ ବ୍ୟାପି ଧୂଆଁରେ ଆକାଶ ଭରି ଯାଇଥିଲା। ଦେଖୁଦେଖୁ ଗୋଦାମ ଥିବା ବୃହତ୍ ଅଞ୍ଚଳ ନିଆଁର କବଳିତ ହୋଇଥିଲା। ଗୋଦାମରେ ଥିବା ପ୍ଲାଷ୍ଟିକ୍ ପାଇପ ପୋଡ଼ି ପାଉଁଶ ହୋଇ ଯାଇଥିଲା। ୪୦-୫୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ନିଆଁର ଧାସ ଉଠୁଥିବାବେଳେ ଧୂଆଁ ଯୋଗୁ ପ୍ରକୃତରେ କେଉଁକେଉଁ ସ୍ଥାନରେ ନିଆଁ ଲାଗିଛି, ତାହା ଦେଖାଯାଉ ନଥିଲା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ୬ଟି ଦମକଳ ଗାଡ଼ି ପ୍ରାୟ ୪ ଘଣ୍ଟା ପରିଶ୍ରମ କରି ନିଆଁ ଲିଭାଇ ଥିଲେ।
ସମ୍ବଲପୁର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ମାନେଶ୍ୱର ଅତିରିକ୍ତ ତହସିଲଦାର ଗୌରବ ପ୍ରଧାନ, ଧମା ଥାନା ଅଧିକାରୀ ପ୍ରଶାନ୍ତ ସାମଲ ପ୍ରମୁଖ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଏହି ଅଗ୍ନିକାଣ୍ଡ କିପରି ହେଲା, ସେନେଇ ତଦନ୍ତ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଦଣ୍ଡସେନା ସୂଚନା ଦେଇଛନ୍ତି।
କେଇସି ଇଣ୍ଟରନ୍ୟାସନାଲ ସହକାରୀ ପ୍ରବନ୍ଧକ ଜ୍ୟୋତିରଂଜନ ଶତପଥୀ କହିଛନ୍ତି ଯେ ୯ଟା ୫୦ରେ ସଂସ୍ଥାର ସୁରକ୍ଷା କର୍ମୀ ନିଆଁ ଲାଗିଥିବା ଜାଣି ଜଣାଇଥିଲେ। ପାଚେରି ବାହାରେ ଥିବା ବିଲର ନଡ଼ାରେ ପ୍ରଥମେ ନିଆଁ ଲାଗି ତାହା ବ୍ୟାପି ଗୋଦାମ ଭିତରେ ଥିବା ପାଇପ୍ରେ ଲାଗିଥିବା ଅନୁମାନ କରାଯାଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ , କେଇସି ଇଣ୍ଟରନ୍ୟସନାଲ ନାମକ ଏକ ସଂସ୍ଥା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ନିର୍ମାଣାଧୀନ ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ପାଇପ୍ ବିଛାଇବା କାର୍ଯ୍ୟ ଠିକାରେ କରୁଥିଲା। ମାଳତୀ ଗୁଣ୍ଡେରପୁରଠାରେ ଉକ୍ତ ସଂସ୍ଥା ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ପାଚେରି ଦେଇ ପାଇପ୍ ରଖୁଥିଲା ଏବଂ ଆବଶ୍ୟକତା ଅନୁସାରେ ସେଠାରୁ ନେଇ କାମ କରୁଥିଲା।