ନିଆଁରେ ଛାରଖାର ପ୍ଲାଷ୍ଟିକ୍‌ କାରଖାନା

ଖଣ୍ଡଗିରି : ରବିବାର ସକାଳ ପ୍ରାୟ ୯ଟା ବେଳେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ‌ରେ ଯାଁଳା ଶିଳ୍ପାଞ୍ଚଳସ୍ଥିତ ସାଇକୃପା ଡେକୋର୍ସ ଆଣ୍ଡ ଚନ୍ଦନ ପ୍ଲାଷ୍ଟିକ୍‌ କାରଖାନା ଛାରଖାର ହୋଇଯାଇଛି। ନୂଆ ପ୍ଲାଷ୍ଟିକ୍‌ ସାମଗ୍ରୀ ଓ ଗଚ୍ଛିତ କଞ୍ଚାମାଲ୍‌ ସହ ବହୁ ଦାମୀ ମେସିନ୍ ପୋଡ଼ି ଯାଇଛି। ପ୍ରାୟ ଦେଢ଼କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି। ଜଟଣୀ, ଖୋର୍ଧା ଓ ଭୁବନେଶ୍ବରରୁ ଆସିଥିବା ୬ଟି ଦମକଳ ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ କରିବା ପରେ ନିଆଁ ଆୟତ୍ତ କରିଥିବା ବେଳେ ଯାଁଳା ଫାଣ୍ଡି ପୁଲିସ ଅଗ୍ନିକାଣ୍ଡର କାରଣକୁ ନେଇ ଖୋଳତାଡ଼ କରୁଛି। ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିଲେ ବି ଏହା ପଛରେ ଅନ୍ୟ କିଛି କାରଣ ଥିବା ସନ୍ଦେହ ଅଭିଯୋଗକୁ ନେଇ ପୁଲିସ ଛାନଭିନ୍ ଜାରି ରହିଛି। କାରଖାନର ସିସିଟିଭି ଫୁଟେଜ୍‌କୁ ସଂଗ୍ରହ କରି ପୁଲିସ ତଦନ୍ତ ଜାରି ରଖିଛି।

ସୂଚନ‌ାଯୋଗ୍ୟ ଯେ ଆଜି ଜଗୁଆଳିଜଣଙ୍କ ମୁଖ୍ୟ ଫାଟକ ନିକଟ ୱେଟିଂ ରୁମ୍‌ରେ ବସିଥିବା ବେଳେ ପଛପଟ ଗୋଦାମ ଭିତରୁ ଧୂଆଁ ବାହରୁଥିବା ଦେଖିଥିଲା। ଘଟଣା ଜାଣିବା ପାଇଁ ସେ ସେଠାକୁ ଯିବା ବେଳକୁ ପ୍ଲାଷ୍ଟିକ୍ ଗଦା ହୁତ୍‌ହୁତ୍‌ ହୋଇ ଜଳୁଥିଲା। ନିକଟରେ ଥିବା ନୂଆ ପ୍ଲାଷ୍ଟିକ୍‌ ସାମଗ୍ରୀଗୁଡ଼ିକ ମଧ୍ୟ ଜଳୁଥିଲା। ତେଣୁ ସେ ବାହାରକୁ ଧାଇଁ ଆସି ପାଟି କରି ପାଖ ଲୋକମାନଙ୍କୁ ଡାକ ଛାଡ଼ିଥିଲା। ମାତ୍ର କେଇ ମିନିଟ୍‌ ଭିତ‌ରେ ନିଆଁ ପୂରା ୟୁନିଟ୍‌କୁ ବ୍ୟାପି ଯାଇଥିଲା। ଖବର ପାଇ ପ୍ରଥମେ ଜଟଣୀରୁ ଓ ପରେ ପରେ ଖୋର୍ଧା ଭୁବନେଶ୍ବରରୁ ମୋଟ୍‌ ୬ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

କାରଖାନାର ମାଲିକ ପ୍ରଦୀପ ନାୟକଙ୍କ ସୂଚନାନୁସାରେ, ଗତ କିଛି ଦିନ ହେଲା ଉତ୍ପାଦନ ବନ୍ଦ ଥିଲା। ତେଣୁ କେବଳ ଜଣେ କର୍ମଚାରୀ ଜଗୁଆଳି ଭାବେ ରହୁଥିଲେ। ଭିତରେ କିଛି ନୂତନ ସାମଗ୍ରୀ ଥିଲା ଓ ବହୁ ପରିମାଣର କଞ୍ଚାମାଲ୍ ଥିଲା। ପୁରୁଣା ବ୍ୟବହୃତ ପ୍ଲାଷ୍ଟିକ୍ ଓ ଜରି ବ୍ୟାଗ୍‌କୁ ତରଳାଇ ପ୍ରସ୍ତୁତ ହୋଇଥିବା ଦାନା ଗଦା ଗଦା ହୋଇ ରହିଥିଲା। ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସେହି ସବୁ କଞ୍ଚାମାଲ୍ ପୋଡ଼ି ପ‌ାଉଁଶ ହୋଇଯାଇଛି। ୪ଟି ଦାମୀ ଇଞ୍ଜେକ୍‌ସନ୍‌ ମୋଲ୍‌ଡିଂ ମେସିନ୍(ଛାଞ୍ଚ) ଓ ତା’ ସହିତ ସଂଲଗ୍ନ ଇଲେକ୍ଟ୍ରାନିକ୍‌ସ ପ୍ୟାନେଲ୍ ବୋର୍ଡଗୁଡ଼ିକ ପୋଡ଼ି ପୂରା ନଷ୍ଟ ହୋଇଯାଇଛି। ଏମାନଙ୍କର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ବୋଲି ମାଲିକ ଶ୍ରୀ ନାୟକ କହିଛନ୍ତି। ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା କଥାକୁ ସେ ସହଜରେ ବିଶ୍ବାସ କରିପାରିନାହାନ୍ତି। ଉତ୍ପାଦନ ବନ୍ଦ ଥିବାରୁ ବିଦ୍ୟୁତ୍ ସର୍ଟ ସର୍କିଟ୍‌ କାରଣକୁ ସେ ଏଡ଼ାଇ ଯାଇଛନ୍ତି। ତେଣୁ ଅନ୍ୟ କିଛି କାରଣ ଥାଇପାରେ ବୋଲି ସେ ସନ୍ଦେହ କରି ସେ ପୁଲିସ ତଦନ୍ତ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ପ୍ଲାଷ୍ଟିକ୍ ରିସାଇକ୍ଲିଂ କାରଖାନାରେ ବାଲ୍‌ତି, ମଗ, କୁଣ୍ଡ ଭଳି ବିଭିନ୍ନ ଘରକରଣା ସାମଗ୍ରୀ ଉତ୍ପାଦନ ହୁଏ।

ସମ୍ବନ୍ଧିତ ଖବର