ରାଉରକେଲା : ରାଉରକେଲାସ୍ଥିତ ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି) ମୁଖ୍ୟ ପ୍ରଶାସନିକ କୋଠାର ଡାଟା ସେଣ୍ଟର୍ରେ ଥିବା ଇନ୍ଭେଟର୍ କକ୍ଷରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସେଠାରେ ଥିବା ଦୁଇଟି ଏସି ସମେତ ଇନ୍ଭେଟର ଜଳି ଯାଇଛି। ଅଗ୍ନିଶମ ବିଭାଗ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ବଡଧରଣ ଅଗ୍ନିକାଣ୍ଡ ରୋକାଯାଇ ପାରିଛି। ଏସିରେ ସଟ୍ସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ବନ୍ଦ ଥିବା ଡାଟା ସେଣ୍ଟର ଭିତରୁ ଧୂଆଁ ବାହାରୁଥିବା କିଛି ଛାତ୍ରଛାତ୍ରୀ ଦେଖି ଏନ୍ଆଇଟିର ସୁରକ୍ଷା ବିଭାଗକୁ ସୂଚନା ଦେଇଥିଲେ। ଡାଟା ସେଣ୍ଟର ଧୂଆଁମୟ ହୋଇଯାଇଥିବାରୁ ନିଆଁକୁ ଆୟତ୍ତ କରିବାକୁ ସୁରକ୍ଷା ବିଭାଗର କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥିଲା।
ଉଲ୍ଲେଖଯୋଗ୍ୟ, ଗତ ୨୦୧୮ ମେ’ ମାସରେ ଏନ୍ଆଇଟିର କମ୍ପୁଟର ଲାବ୍ରୋଟୋରି କକ୍ଷରେ ଅଗ୍ନିକାଣ୍ଡ ଘଟିଥିଲା। ଅନୁରୂପ ଭାବେ ଡିସେମ୍ବର ୫ରେ ମୁଖ୍ୟ ପ୍ରଶାସନିକ କୋଠାର ‘ପରଚେଜ୍ ଆଣ୍ଡ ୱାର୍କର୍ସ’ ଅଫିସରେ ମଧ୍ୟ ଅଗ୍ନିକାଣ୍ଡ ହୋଇଥିଲା। ଦୁର୍ନୀତି ଲୁଚାଇବାକୁ ଏଭଳି କରାଯାଇଥିବା ନେଇ ସେତେବେଳେ ଅଭିଯୋଗ ଆସିଥିଲା। ଘଟଣାର ସତ୍ୟାସତ୍ୟ ଜାଣିବାଲାଗି ଏନ୍ଆଇଟି ନିର୍ଦ୍ଦେଶକଙ୍କ ନେତୃତ୍ବରେ ତଦନ୍ତ କମିଟି ଗଠନ ହୋଇଥିଲା।
ମୁଖ୍ୟ ପ୍ରଶାସନିକ କୋଠାର ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ବାରମ୍ବାର ଅଗ୍ନିକାଣ୍ଡ ଘଟିବା ଏନ୍ଆଇଟିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।