ରାଉରକେଲା : ମୁମ୍ବାଇ- ହାୱଡା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ର ଏଚ୍-୧୧ କୋଚ୍ରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ। କେତେକ ଯାତ୍ରୀ ଚେନ୍ ପୁଲିଂ କରି ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିଛି ଯାତ୍ରୀ ଟ୍ରେନ ଅଟକିବା ପୂର୍ବରୁ ଜୀବନ ବଞ୍ଚାଇବାକୁ ବାମ ପାର୍ଶ୍ବରେ ତଳକୁ ଡେଇଁ ପଡିଥିଲେ। ଫଳରେ କିଛି ଯାତ୍ରୀ ତଳେ ପଡି ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଆଜି ପୂର୍ବାହ୍ନ ପ୍ରାୟ ୯ଟା ୪୫ ମିନିଟ୍ରେ ଝାଡଖଣ୍ଡ ମନୋହରପୁର ପରବର୍ତ୍ତୀ ଲୋଟପାହାଡ ଷ୍ଟେସନରେ ଏହି ଅଘଟଣ ଘଟିଥିଲା। କର୍ମଚାରୀମାନେ ଧୂଆଁ ବାହାରୁଥିବା ଜାଗାକୁ ମରାମତି କରି ଠିକ୍ କରିବା ପରେ ୪୫ ମିନିଟ୍ ବିଳମ୍ବ ଅର୍ଥାତ୍ ପୂର୍ବାହ୍ନ ସାଢ଼େ ୧୦ଟାରେ ଟ୍ରେନ ପୁନର୍ବାର ଯାତ୍ରା କରିଥିଲା। ହଟ୍ ଏକସେଲ୍ ଯୋଗୁଁ ଟ୍ରେନରୁ ଧୂଆଁ ବାହାରୁଥିବା ଟେକ୍ନିସିଆନମାନେ କହିଛନ୍ତି। ଯାତ୍ରୀମାନେ ଚେନ୍ ପୁଲିଂ କରି ଟ୍ରେନକୁ ଅଟକାଇଥିବାରୁ ବଡଧରଣର ଦୁର୍ଘଟଣାକୁ ରୋକାଯାଇ ପାରିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୮ଟାରେ ସାଲିମାର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ଯାତ୍ରୀମାନେ ଚଢ଼ିବା ପରେ ଟ୍ରେନଟି ହାୱଡା ସାଲିମାର ଅଭିମୁଖେ ଯାତ୍ରା କରିଥିଲା। ଟ୍ରେନଟି ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ଅତିକ୍ରମ କରିବା ପରେ ଏସ୍-୧୧ କୋଚ୍ରୁ ଧୂଆଁ ବାହାରିବା ଆରମ୍ଭ ହୋଇଯାଇଥିଲା। କୋଚ୍ର ଧୂଆଁ ବାହାରୁଥିବା ଦେଖି ଭୟରେ ସିଟ୍ରେ ବସିଥିବା କିଛି ଯାତ୍ରୀ ପାଟି କରିଥିଲେ। ହେଲେ ଟ୍ରେନରେ କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନଥିଲେ। ଲୋଟପାହାଡ ନିଟକରେ ପହଞ୍ଚିବା ମାତ୍ରେ ଯାତ୍ରୀମାନେ ଚେନ୍ ପୁଲିଂ କରି ଟ୍ରେନଟିକୁ ରୋକିଥିଲେ। ଟ୍ରେନଟି ରହିବା ମାତ୍ରେ ଅଧିକାଂଶ କୋଚ୍ରୁ ଯାତ୍ରୀମାନେ ବାହାରକୁ ବାହାରି ଆସିଥିଲେ।
ସାଲିମାର ଏକ୍ସପ୍ରେସ୍ରେ ଧୂଆଁ: ଭୟରେ ଟ୍ରେନରୁ ଡେଇଁ ପଡିଲେ ଯାତ୍ରୀ
/sambad/media/post_attachments/wp-content/uploads/2019/05/RKL-Salimar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)