ଅନୁଗୁଳ : ଗତ ସପ୍ତାହକ ଭିତରେ ସାତକୋଶିଆ ଯେତିକି ଜଙ୍ଗଲ ଜଳିଥିଲା, ଆଜି ଗୋଟିଏ ଦିନରେ ପ୍ରାୟ ସେତିକି ନିଆଁ ଲାଗିଛି। ହୁତ୍ ହୁତ୍ ହୋଇ ସାତକୋଶିଆ ଜଳୁଛି। ଜୈବ ବିବିଧତା ଭରା ଏହି ଅଭୟାରଣ୍ୟ ଏବଂ ଜୀବଜନ୍ତୁ ନିଆଁ ମୁହଁକୁ ଠେଲି ହୋଇଯାଇଛନ୍ତି। ଗତକାଲି ସୁଦ୍ଧା ସାତକୋଶିଆର ୧୨୪ଟି ଜଙ୍ଗଲ ଅଞ୍ଚଳ ଜଳୁଥିବା ସାଟେଲାଇଟ୍ ତଥ୍ୟ ଦେଇଥିବା ବେଳେ ଆଜି ରବିବାର ଦିନ ୯୨ଟି ଜଙ୍ଗଲ ଅଞ୍ଚଳ ଜଳୁଥିବା କଥା ସାଟେଲାଇଟ୍ ତଥ୍ୟ ଦେଇଛି।
ବିଶେଷ ପ୍ରଭାବିତ ହୋଇଛି, ଅଭୟାରଣ୍ୟର ମହାନଦୀ ଡିଭିଜନ ଅନ୍ତର୍ଗତ ମହାନଦୀ ଏବଂ ବାଇଶିପାଲୀ ସଂରକ୍ଷିତ ଜଙ୍ଗଲ। ସାଟେଲାଇଟ୍ ତଥ୍ୟ ମୁତାବକ, ସାତକୋଶିଆ ଅଭୟାରଣ୍ୟର ଦୁଇଟା ଯାକ ଡିଭିଜନରେ ମାର୍ଚ୍ଚ ପହିଲାରୁ ନିଆଁ ଲାଗିଲାଣି। ସାତକୋଶିଆ ଡିଭିଜନ ଅପେକ୍ଷା ମହାନଦୀ ଡିଭିଜନରେ ଦୁଇ ଗୁଣରୁ ଅଧିକ ବନାଗ୍ନିକୁ ସାଟେଲାଇଟ୍ ଠାବ କରିଥିଲା। ମାର୍ଚ୍ଚ ୧ତାରିଖରୁ ୬ତାରିଖ ମଧ୍ୟରେ ମହାନଦୀ ଡିଭିଜନରେ ୮୮ଟି ଜଙ୍ଗଲ ଅଞ୍ଚଳ ଜଳୁଛି ବୋଲି ସାଟେଲାଇଟ୍ ଧରିଥିଲା। ଆଜି ଗୋଟିଏ ଦିନରେ ମହାନଦୀ ଡିଭିଜନର ୭୮ଟି ଅଞ୍ଚଳରେ ନିଆଁ ଲାଗିଥିବା ସାଟେଲାଇଟ୍ ଜାଣିବାକୁ ପାଇଛି। ସବୁଠାରୁ ବେଶି ଜଳୁଛି ମହାନଦୀ ଏବଂ ବାଇଶିପାଲୀ ଜଙ୍ଗଲ। ତଥ୍ୟ ମୁତାବକ, ବିରାଟକାୟ ମହାନଦୀ ଜଙ୍ଗଲର ୩୨ଟି ଜାଗାରେ ନିଆଁ ଲାଗିଥିବା ବେଳେ ବାଇଶିପାଲୀ ଜଙ୍ଗଲରେ ୪୩ଟି ଜାଗାରେ ନିଆଁ ଠାବ ହୋଇଛି। ସେହିପରି ବୌଦ୍ଧ-ନୟାଗଡ଼ ସଂରକ୍ଷିତ ଜଙ୍ଗଲ, ହାତୀଧରା ଏବଂ ପଦ୍ମଲତା ସଂରକ୍ଷିତ ଜଙ୍ଗଲ ବି ଜଳୁଛି ବୋଲି ସାଟେଲାଇଟ୍ ଦର୍ଶାଇଛି।
/sambad/media/post_attachments/wp-content/uploads/2021/03/fire-3.jpg)
କେବଳ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୁହେଁ, ସାତକୋଶିଆ ଗଣ୍ଡର ଏପାଖ ଡିଭିଜନ ସାତକୋଶିଆ ବନଖଣ୍ଡରେ ବି ନିଆଁ କିଛି କମ୍ ନୁହେଁ। ମାର୍ଚ୍ଚ ପହିଲାରୁ ୬ତାରିଖ ଯାଏ ୩୬ଟି ଅଞ୍ଚଳରେ ନିଆଁ ଲାଗିଥିଲା, ଆଜି ଗୋଟିଏ ଦିନରେ ତା’ର ପାଖାପାଖି ଅର୍ଥାତ୍ ୨୪ଟି ଜଙ୍ଗଲ ଅଞ୍ଚଳ ଜଳୁଛି। ଗତକାଲି ଭଳି ଆଜି ବି ପମ୍ପାସର ରେଞ୍ଜ୍ରୁ ନିଆଁ ଲିଭି ନାହିଁ। ବରଂ ପମ୍ପାସର ଭଳି ଜିଲିଣ୍ଡା ରେଞ୍ଜ୍ର ୧୪ଟି ପଏଣ୍ଟ୍ରେ ନିଆଁକୁ ଠାବ କରାଯାଇଛି। ଟାଇଁସି ଜଙ୍ଗଲରେ ଆଦୌ ସୁଧାର ଆସିନାହିଁ। ଗତକାଲି ଯେମିତି ଜଳୁଥିଲା ଆଜି ବି ସେମିତି ଜଳୁଛି। ଟାଇଁସି ଭଳି ଟୁଲୁକା, କଟରଙ୍ଗ, ହାତୀଧରା, ମଝିପଡ଼ା ଜଙ୍ଗଲ ଅଞ୍ଚଳ ଘୋ ଘୋ ହୋଇ ଜଳୁଛି ବୋଲି ସାଟେଲାଇଟ୍ ତଥ୍ୟ ବୟାନ କରୁଛି।
ସାତକୋଶିଆ ଅଭୟାରଣ୍ୟଠାରୁ ଅତି ସାଙ୍ଘାତିକ ସ୍ଥିତିରେ ଅଛି ଅନୁଗୁଳ ବନଖଣ୍ଡ। ଆଜି ଗୋଟିଏ ଦିନରେ ସାଟେଲାଇଟ୍ ୧୮୨ଟି ଜଙ୍ଗଲ ଅଞ୍ଚଳରେ ନିଆଁ ଠାବ କରିଛି। ଛେଣ୍ଡିପଦା ବନାଞ୍ଚଳର କଣଲୋଇ, ବୁଲାଝର, ଶିପୁର, ମାରୁଢ଼ିପ, ନୂଆମାଟି, ଦେବୀନଗର, ଡଙ୍ଗାପାଳ, କତଡ଼ା, କୁଲାଡ଼େରା, ଅନ୍ତୁଳିଆ-ତାବଡ଼ା, ଶିମିଳିପଥର, ପଥରଗଡ଼, ବୁର୍ତ୍ତି, କ୍ରୀଷ୍ଣଚକ୍ରଗଡ଼, କଳାପାଟ, ଦୁର୍ଗାପୁର, କୁରୁଡ଼ୁ, କୁଲାସିଂହା, ଚନ୍ଦନପୁର, ପ୍ରମୁଖ ସଂରକ୍ଷିତ ଜଙ୍ଗଲରେ ବଡ଼ଧରଣର ନିଆଁ ଲାଗିଥିବା ସାଟେଲାଇଟ୍ ଜାଣିବାକୁ ପାଇଛି। ମାର୍ଚ୍ଚ ପହିଲାରୁ ଆଜି ଯାଏ ସାତ ଦିନ ମଧ୍ୟରେ ଅନୁଗୁଳ ବନଖଣ୍ଡରେ ମୋଟ୍ ୬୩୯ଟି ଜଙ୍ଗଲ ଅଞ୍ଚଳରେ ନିଆଁ ଲାଗି ସାରିଲାଣି।