ଏସ୍‌ସିବିରେ ନିଅାଁ ଆତଙ୍କ : ସାଲାଇନ ଧରି ଦୌଡ଼ିଲେ ରୋଗୀ

କଟକ : କଟକ ବଡ ମେଡିକାଲ ହେପାଟୋଲୋଜି ବିଭାଗ ଜଣ୍ଡିସ ୱାର୍ଡରେ ଆଜି ଏସିରେ ସ୍ପାର୍କିଂକୁ ନେଇ ଆତଙ୍କ ସୃ‌ଷ୍ଟି ହୋଇଛି। ଏଥିରେ ବଡ଼ଧରଣର କ୍ଷତି ଘଟି ନଥିଲେ ବି ଏଥିରେ ଆତଙ୍କିତ ହୋଇ ରୋଗୀ ସାଲାଇନ ଧରି ୱାର୍ଡ ବାହାରକୁ ଦୌଡ଼ି ଥିଲେ। ଏସିରୁ ସ୍ପାର୍କିଂ ହୋଇ ନିଆଁ ଓ ଧୂଆଁ ବାହାରୁ ଥିବାବେଳେ ୱାର୍ଡରେ ଥିବା ଅଗ୍ନିନିରୋଧକ ଯନ୍ତ୍ର ସାହାର୍ଯ୍ୟରେ କର୍ମଚାରୀମାନେ ତାହାକୁ ଆୟତ୍ତ କରିଥିଲେ। ତୁରନ୍ତ ଉକ୍ତ ୱାର୍ଡର ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରାଯିବା ସହ ଏସି ସଂଯୋଗକୁ କାଟି ଦିଆଯାଇଥିଲା। ଏସିର ତଳଅଂଶ ପୋଡି ଯିବା ସହ ସିଲିଂର କିଛି ଅଂଶ କଳା ପଡିଯାଥିଲା। ଦମକଳ ବାହିନୀ ପହଞ୍ଚିବା ବେଳକୁ ନିଆଁ ଲିଭିସାରିଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। କିଛି ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ସ୍ବଭାବିକ ହୋଇଥିବାବେଳେ ଏବେ ଏସି ସଂଯୋଗକୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରାଯାଇଛି।

ଆଜି ଦିନ ପ୍ରାୟ ୧୨ଟା ୧୫ ସମୟରେ ଏଭଳି ଘଟଣା ଘଟିଥିଲା। ଏସ୍‌ସିବିରେ ବିଭିନ୍ନ ସମୟରେ ଏସିରୁ ଏଭଳି ଘଟଣା ଘଟୁଛି। ଏହାର ନିୟମିତ ରକ୍ଷଣାବେକ୍ଷଣ ହେଉ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର