ବାରିପଦା/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ୍ତ ହୋଇପଡ଼ିଛି ବନାଗ୍ନି। ଗତକାଲି ୧୩ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ୪୩ଟି ସ୍ଥାନରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଡ୍ରୋନ୍ କ୍ୟାମେରା ଦ୍ବାରା ନିଆଁ ଲାଗିଥିବା ସ୍ଥାନକୁ ଚିହ୍ନଟ କରାଯିବା ପରେ କର୍ମଚାରୀ ସେଠାରେ ପହଞ୍ଚି ଏହାକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଏହି କାର୍ଯ୍ୟରେ ୨୬ ଜଣିଆ ଓଡ୍ରାଫ୍ ଟିମ୍ ସାମିଲ୍ ହୋଇଥିବା ଶିମିଳିପାଳ କ୍ଷେତ୍ର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ କହିଛନ୍ତି। ଶିମିଳିପାଳରେ ଚଳିତ ବର୍ଷ ଆଜି ସୁଦ୍ଧା ମୋଟ୍ ୧୭୭ଟି ସ୍ଥାନରେ ନିଆଁ ଲାଗିଛି। ଶିମିଳିପାଳ ଉତ୍ତର ବନଖଣ୍ଡରେ ୨୫ଟି ପଏଣ୍ଟ ଏବଂ ଦକ୍ଷିଣ ଶିମିଳିପାଳର ୧୮ଟି ପଏଣ୍ଟରେ ନିଆଁ ଲାଗିଛି। ଏହାବାଦ୍ ଅନ୍ୟ ସ୍ଥାନରେ ମଧ୍ୟ ନିଆଁ ଲାଗୁଛି। ବନ ବିଭାଗ ନିଅଁା ଲିଭାଇବାକୁ ସକ୍ଷମ ହୋଇଥିଲେ ମଧ୍ୟ ଅଧିକାଂଶ ପଏଣ୍ଟଗୁଡ଼ିକ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ଫଳରେ ମୂଲ୍ୟବାନ ବୃକ୍ଷଲତା ପୋଡ଼ି ପାଉଁଶ ହେବାକୁ ବସିଛି। ଆଉ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଘନେଇଛି। ଅନ୍ୟପକ୍ଷରେ, ନିଆଁ ଶିମିଳିପାଳ ପରିବେଶକୁ ଛାରଖାର କରୁଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବା ପାଇଁ ସରକାର ପଦକ୍ଷେପ ନେବାକୁ ଦାବି ହେଉଛି।
ଶିମିଳିପାଳରେ ବନାଗ୍ନି ଅଣାୟତ୍ତ: ନିଅଁା ଲିଭାଇବାକୁ ୨୬ ଜଣିଆ ଓଡ୍ରାଫ୍ ଟିମ୍ ସାମିଲ
/sambad/media/post_attachments/wp-content/uploads/2024/04/gdjdgdgjdgjgj.jpg)