ଶିମିଳିପାଳ ଅଭୟାରଣ୍ୟରେ ନିଆଁ ନିୟନ୍ତ୍ରଣାଧୀନ ଅଛି, ପ୍ରତିଷେଧମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ଜନିତ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିମିଳିପାଳ କେବଳ ଓଡ଼ିଶା ବା ଭରତର  ନୁହେଁ, ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ ।

ଶିମିଳିପାଳ ଅଭୟାରଣ୍ୟ ପରିସ୍ଥିତି ସମ୍ପର୍କରେ ବୈଠକରେ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଜଙ୍ଗଲ ଓ ପରିବେଶ ବିଭାଗ ଡା. ମୋନା ଶର୍ମା କହିଥିଲେ ଯେ ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି। ଏଥିରେ କୌଣସି ଜୀବନ ହାନି ଘଟି ନାହିଁ । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସ୍‌ଓପି ଜାରି କରାଯାଇଛି ଏବଂ ବଡ ବଡ ଗଛମାନଙ୍କର କିଛି କ୍ଷତି ହୋଇନାହିଁ । ନିଆଁ ସତର୍କତା ସମ୍ପର୍କରେ ପ୍ରତି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କୁ ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ଡିଏଫ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡା ମୋନା ଶର୍ମା କହିଛନ୍ତି ।

ପିସିସିଏଫ୍‌ (ବନ୍ୟପ୍ରାଣୀ) ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଭି. କେ. ପାଣ୍ଡିଆନ, ପିସିସିଏଫ୍‌ ଏବଂ ଜଙ୍ଗଲ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର