ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ସାଧାରଣତଃ ଖରିଫ୍‌ ଧାନ ପାଚିଲା ସମୟରେ ହାତୀପଲ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଥାନ୍ତି। ହେଲେ ଏବେ ସ୍ଥିତି ବଦଳୁଛି। ରବିଧାନ ଚାଷ ଆରମ୍ଭରୁ ହାତୀପଲ ଗାଁମୁହାଁ ହେଲେଣି। କାରଣ ଶିମିଳିପାଳ ବନାଗ୍ନି ଯୋଗୁ ହାତୀପଲ ଜଙ୍ଗଲ ଭିତରେ ରହିପାରୁନାହାନ୍ତି। ନାଁ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ମିଳୁଛି, ନା ପାଣି। ଫଳରେ ଜୀବନ ବିକଳରେ ହାତୀପଲ ଜନବସିତି ମୁହାଁ ହେୁଛନ୍ତି। ଗତ କିଛି ଦିନ ହେଲା ବିଭିନ୍ନ ଗାଁରେ ହାତୀପଲ ଏଭଳି ଉପଦ୍ରବ କରୁଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେପଟେ ବନ ବିଭାଗର ବି ଚିନ୍ତା ବଢିଛି। ଶିମଳିପାଳରୁ ନିଆଁ ଲିଭାଇବେ ନା ହାତୀ ଘଉଡାଇବେ, ସେ ନେଇ ଅଡ଼ୁଆରେ ପଡ଼ିଛନ୍ତି ବନ କର୍ମଚାରୀ।

Advertisment

ଏବେ ଚିତ୍ରଡ଼ା, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ବାଙ୍ଗିରପୋଷି ଓ ବେତନଟୀ ଅଞ୍ଚଳରେ ହାତୀପଲ ଟହଲ ମାରୁଥିବା ଜଣାପଡ଼ିଛି। ଧାନ ଚାଷ ନଥିବାରୁ ହାତୀ ଉପଦ୍ରବ କମିଥିଲା ଓ ଗ୍ରାମବାସୀ ଟିକେ ଶାନ୍ତିରେ ରହୁଥିଲେ। ତେବେ ଶିମିଳିପାଳ ନିଆଁ ଯୋଗୁ ହାତୀପଲ ଗାଁ ମୁହାଁ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ଆଖିରୁ ନିଜ ହଜିଯାଇଛି। ମାର୍ଚ୍ଚ ଆରମ୍ଭରୁ ଶିମିଳିପାଳରେ ଚିନ୍ତା ବଢ଼ାଇଛି ବନାଗ୍ନି। ସବୁ ଦିନ କେଉଁଠି ନା କେଉଁଠି ଜଙ୍ଗଲ ଜଳିଲାଣି। ବନ୍ୟଜନ୍ତୁ ଶିକାର ପାଇଁ ମଧ୍ୟ ନିଆଁ ଲଗାଯାଉଛି। ମହୁଲ ଅମଳ ସମୟ‌ ଆସିଯାଇଥିବାରୁ କିଛି ଲୋକ ବି ଜଙ୍ଗଲରେ ନିଆଁ ଲଗାଉଥିବା ବନ ବିଭାଗ କହୁଛି। ତେବେ ଏହାକୁ ରୋବିକାକୁ ବନ ବିଭାଗ ଥଳକୁଳ ପାଉନାହିଁ। ଶିମିଳିପାଳ ନିଆଁର ତାତି ଯୋଗୁ ବନ୍ୟଜନ୍ତୁ ଆହାର, ପାଣି ପିଇବା ଆଶାରେ ଜନବସତି ମୁହାଁ ହେଉଛନ୍ତି। ଫଳରେ ହରିଣ, ଠେକୁଆ ଓ ଅନ୍ୟ ବନ୍ୟଜନ୍ତୁ ଶିକାରୀଙ୍କ ହାତରେ ପ୍ରାଣ ହରାଉଛନ୍ତି। ହାତୀ ଓ ବାଘ ବି ନିଜକୁ ନିରାପଦ ମଣୁ ନାହାନ୍ତି। ହାତୀପଲ ଶିମିଳିପାଳ ଛାଡି ଗାଁ ମୁହାଁ ହୋଇଥିବା ବେଳେ ବାଘ ଶିମିଳିପ‌ାଳରୁ ଯାଇ କେନ୍ଦୁଝରରେ ଦେଖା ଦେଲେଣି ବୋଲି ଚର୍ଚ୍ଚା ହେଉଛି।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ମାର୍ଚ୍ଚ ଆରମ୍ଭରୁ ଆଜି ସୁଦ୍ଧା ଅଭୟାରଣ୍ୟର ମୋଟ୍ ୨୩୭ଟି ସ୍ଥାନରେ ନିଆଁ ଲାଗିଲାଣି। ଯଦିଓ ବନ ବିଭାଗ ଶିମିଳିପାଳ ଅଭୟାରଣ୍ୟ ବାହାରପଟରେ କିଛି ମାତ୍ରାରେ ନିଆଁକୁ ଆୟତ୍ତ କରୁଛି ତେବେ ଭିତରେ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଉଛି। ଡ୍ରୋନ କ୍ୟାମେରୋ ଫାୟାର ପଏଣ୍ଟ ଚିହ୍ନଟ ବି କରାଯାଉଛି। ତା ସତ୍ତ୍ବେ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିବା ସମ୍ଭବପର ହେଉନି। ତେବେ ଯେଉଁ ଧାରାରେ ନିଆଁ ଲାଗିଛି, ଯଦି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ନ ହୁଏ ତାହା ହେଲେ ୨୦୨୧ ଭୟାବହ ବନାଗ୍ନିର ପୁନରାବୃତ୍ତି ହେବା ଥୟ। ତେବେ ଶିମିଳିପାଳ ବନାଗ୍ନି ଓ ହାତୀପଲ ଉପରେ ନଜର ରଖାଯାଇଛି। ଏ ନେଇ ସମସ୍ତଙ୍କ ସହଯୋଗ ରହିବା ଦରକାର ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକ‌ାଶଚାନ୍ଦ ଗୋଗିନାନୀ।