ଶିମିଳିପାଳ ବନାଗ୍ନି ରୋକିବ ଡ୍ରୋନ୍‌

ଯଶିପୁର: ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ବୃକ୍ଷଲତା ପୋଡ଼ି ପାଉଁଶ ହେଉଥିବା ବେଳେ ବନ୍ୟପ୍ରାଣୀଙ୍କ ଜୀବନ ଯାଉଥିବାରୁ ଶିମିଳିପାଳ ଉତ୍ତର ବନଖଣ୍ଡ କର୍ତ୍ତୃପକ୍ଷଙ୍କ ଦ୍ବାରା ବନାଗ୍ନିର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଶିମିଳିପାଳ ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡ଼ିକରେ ଅଗ୍ନିକାଣ୍ଡ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଛି। ସ୍ବେଚ୍ଛାସେବୀ ସଂଗଠନ, ଏନ୍‌ଏସ୍‌ଏସ୍‌ ଦ୍ବାରା ଗାଁଗାଁରେ ସଚେତନତା ପାଇଁ ରାଲି, ସଭା, ପଦଯାତ୍ରା ଆୟୋଜନ କରାଯାଇଛି। ଏବେସୁଦ୍ଧା ୧୫୯ଟି ସଚେତନତା ସଭା ଓ ରାଲି ଆୟୋଜିତ ହୋଇସାରିଲାଣି।

ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଉପନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ବ୍ଲୋଵର୍‌ ମେସିନ୍ ଓ ଗାଡ଼ି ମୁତୟନ ରଖାଯିବା ନେଇ ପ୍ରସ୍ତୁତି କରାଯାଇଛି।  ଜଣେ ଏସିଏଫ୍‌ଙ୍କ ଦ୍ବାରା ୨୪ ଘଣ୍ଟିଆ ପର୍ଯ୍ୟବେକ୍ଷକ ଦଳ  ସ୍ଥିତି ଉପରେ ନଜର ରଖିଥିବା ବେଳେ ପ୍ରତ୍ୟେକ ଫରେଷ୍ଟ ଡିଭିଜନ୍‌ରେ ୧୦ ଜଣିଆ ଅଗ୍ନିଶମ ଦଳ ଗଠନ କରାଯାଇଛି। ଏମାନଙ୍କ ସୁରକ୍ଷା ଉପକରଣ କିଣିବା ଲାଗି ୭ଟି ରେଞ୍ଜକୁ ୮୫୦୦୦ ଟଙ୍କା ଲେଖାଏ ଅନୁଦାନ ପ୍ରଦାନ କରାଯାଇଛି। ସେହିପରି ନିଆଁକୁ ପ୍ରାଥମିକ ସ୍ତରରେ ଆୟତ୍ତ କରାଯିବାରକୁ ଦୁଇଚକିଆ ଯାନ ମାଧ୍ୟମରେ ପାଟ୍ରୋଲିଂ କରାଯାଉଛି। ଦୁଇଟି ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ଜଙ୍ଗଲ ନିଆଁ ଉପରେ ନଜର ରଖାଯାଇଛି। ଜଙ୍ଗଲରେ ନିଆଁ ଲଗାଉଥିବା ଦୁର୍ବୃତ୍ତଙ୍କୁ ଧରାଇଦେଲେ ପୁରସ୍କାର ପ୍ରଦାନ ମଧ୍ୟ ବନ ବିଭାଗ ତରଫରୁ ଘୋଷଣା କରାଯାଇଛି। କାମ୍ପା ବନ୍ୟଜନ୍ତୁ ଯୋଜନା ଅନ୍ତର୍ଗତ ୯୬୮ କିମିରୁ ଊର୍ଦ୍ଧ୍ବ ଫାୟାର୍‌ ଲାଇନ୍ ସୃଷ୍ଟି ହୋଇ ସାରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର