ହାଟଡ଼ିହି: ଏବେ କେତେକ ଚାଷୀ ସେମାନଙ୍କ ଚାଷଜମିରୁ ଧାନ କାଟି ସାରିଥିବାବେଳେ ଆଉ କିଛି ଚାଷୀଙ୍କର ଧାନ ଏବେ ବି ବିଲରେ ପଡ଼ିଛି । ଏପରିସ୍ଥିତିରେ କେହି ଦୁର୍ବୃତ୍ତ କିଆରୀରେ ନିଆଁ ଲଗାଇ ଦେଉଥିବାରୁ ବିଲରୁ ଧାନ ଅମଳ କରି ନଥିବା ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି । ଏପରି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ପଢ଼ିଆରିପଲ୍ଲୀ ଗ୍ରାମରେ। ଗ୍ରାମରେ ଏବେ ଅଧିକାଂଶ ଚାଷୀଙ୍କ ଧାନ ବିଲରେ କଟା ନହୋଇ ପଡ଼ି ରହିଛି । ଆଉ କିଛି ଧାନ କାଟିସାରି ବିଲରେ ଶୁଖାଇଛନ୍ତି । ସେହିପରି ଆଉ କିଛି ଚାଷୀ ମେସିନ ସାହାଯ୍ୟରେ ଧାନ କାଟି ଧାନଅମଳ କରି ଘରକୁ ନେଇ ଆସିଥିବାବେଳେ ନଡାସବୁକୁ ବିଲରେ ଛାଡ଼ି ଦେଇଛନ୍ତି । କେହି ବ୍ୟକ୍ତି ଆଜି ଏହି ନଡା କିଆରିରେ ନିଆଁ ଲଗାଇ ଦେବାରୁ ଏକର ଏକର ନଡା କିଆରିକୁ ନିଆଁ ବ୍ୟାପିଯାଇଥିଲା ।

Advertisment

ଧାନ ଅମଳ କରି ନଥିବା ଚାଷୀମାନେ ଏନେଇ ଭୟଭୀତ ହୋଇ ପଡ଼ିଥିଲେ। ଆଜି ମଧ୍ୟାହ୍ନରେ ପବନ ବହୁଥିବାରୁ ଚାହୁଁ ଚାହୁଁ ନିଆଁ ଚତୁର୍ଦ୍ଦିଗକୁ ବ୍ୟାପିଯିବାରୁ ଧାନ ଅମଳ କରି ନଥିବା ଚାଷୀମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇପାରି ନଥିଲେ। ସେମାନେ ବାଧ୍ୟହୋଇ ଆଗରପଡା ଦମକଳ କେନ୍ଦ୍ରକୁ ଜଣାଇଥିଲେ । ଆଗରପଡାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।