ପୁରାଣପ୍ରସିଦ୍ଧ ପାଣ୍ଡବବଖରା ପାହାଡ଼ରେ ନିଆଁ

ବାଙ୍କୀ : କଟକ ବାଙ୍କୀ-ଡମପଡ଼ା ବ୍ଲକ୍‌ ଅନ୍ତର୍ଗତ ପାଥପୁର ପଞ୍ଚାୟତ ନିକଟ ପୁରାଣପ୍ରସିଦ୍ଧ ପାଣ୍ଡବବଖରା ପାହାଡ଼ରେ ଆଜି ଅପରାହ୍ନରେ ନିଆଁ ଲାଗି ଧୀରେଧୀରେ ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଡମପଡ଼ା ଅଗ୍ନିଶମବାହିନୀ ପହଞ୍ଚି ଜନବସତିକୁ ଆଡ଼କୁ ବ୍ୟାପୁଥିବା ନିଆଁକୁ ଆୟତ୍ତ କରିଛନ୍ତି। ତେବେ ରାତି ୯ଟା ସୁଦ୍ଧା ପାହାଡ଼ରେ ଲାଗିଥିବା ନିଆଁ ପାଥପୁର ଜଙ୍ଗଲ ଓ ନିକଟସ୍ଥ ଡମପଡ଼ା-ଚନ୍ଦକା ଅଭୟାରଣ୍ୟ ଆଡ଼କୁ ମୁହାଁଇଥିବା ଖବର ମିଳିଛି।

ଆଜି ଅପରାହ୍ନ ପ୍ରାୟ ୫ଟାରେ ଡମପଡ଼ା-ଚନ୍ଦକା ଅଭୟାରଣ୍ୟ ପାର୍ଶ୍ବରେ ଥିବା ପାଣ୍ଡବବଖରା ପାହାଡ଼ ପାଦଦେଶ ପାଥପୁର ଗ୍ରାମ ନିକଟ କିଆବଣ ଓ ଶୁଖିଲା ବଣବୁଦାରେ କୌଣସି ସୂତ୍ରରୁ ନିଆଁ ଲାଗି ଯାଇଥିଲା। ଏହି ସମୟରେ ପ୍ରବଳ ପବନ ହେବାରୁ ନିଆଁ ପାହାଡ଼କୁ ବ୍ୟାପି ଯାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ ଡମପଡ଼ା ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳବାହିନୀ ପହଞ୍ଚି ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରୁ ନିଆଁ ଲିଭାଇଥିଲେ। ରାତିସୁଦ୍ଧା କର୍ମଚାରୀମାନେ ନିଆଁ ଲିଭାଇବା ଉଦ୍ୟମ ଅବ୍ୟାହତ ରଖିବା ସହ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ତେବେ ଜଙ୍ଗଲରୁ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇପାରି ନାହିଁ। ଏଥିସହ ଅଭୟାରଣ୍ୟ ଆଡ଼କୁ ନିଆଁ ମୁହାଁଇଥିବା ସୂଚନା ମିଳିଛି।

ଫଳରେ ଜଙ୍ଗଲର ମୂଲ୍ୟବାନ ଗଛ ସମତେ ମୟୂର ଓ ଅନ୍ୟ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଲାଗି ରହିଛି।

ସମ୍ବନ୍ଧିତ ଖବର