ଟାଙ୍ଗୀ : କିଛି ସ୍ବାର୍ଥପର ବ୍ୟକ୍ତିଙ୍କ ଯୋଗୁ ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ଅପରୂପ ସୌନ୍ଦର୍ଯ୍ୟଭରା ନିଳାମ୍ବୁ ଚିଲିକାର ପରିବେଶ କ୍ରମଶଃ ଧ୍ବଂସାଭିମୁଖୀ ହେବାରେ ଲାଗିଛି। ଚିଲିକା ଜଳରାଶିର କୂଳେକୂଳେ ଥିବା ନଳ ଘାସରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବାରୁ ବିରଳ ପ୍ରଜାତିର ଫିସିଂ କ୍ୟାଟ୍ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଖଛି।

Advertisment

ଘଟଣାରୁ ପ୍ରକାଶ ଯେ ଟାଙ୍ଗୀ ଥାନା କାଳୁପଡ଼ାଘାଟ ଜେଟି ନିକଟରେ ଥିବା ନଳବଣରେ ଏହି ନିଆଁ ଲାଗିଥିଲା। କିଛି ଖଳ ପ୍ରକୃତିର ବ୍ୟକ୍ତି ନଳବଣରେ ଥିବା କଉ, ଶଉଳ, ରତା, ମାଗୁର ଆଦି ମାଛ ଧରିବା ଲାଗି ଏଥିରେ ନିଆଁ ଲଗାଇ ଦେଇଥିଲେ । ପ୍ରବଳ ତାତିରେ ନଳଘାସ ଶୁଖି ଯାଇଥିବା ବେଳେ ଏଥିରେ ନିଆଁ ଲଗାଇ ଦିଆଯିବା ପରେ ହଠାତ୍ ଏହା ଚିଲିକା କୂଳର ଏକର ଏକର ଅଞ୍ଚଳକୁ ବ୍ୟାପୀ ଯାଇଥିଲା। ନିଆଁର ପ୍ରକୋପ ଏତେଥିଲା ଯେ ଏହା ପ୍ରାୟ ୧୦୦ ଫୁଟ ଉପରକୁ ଉଠୁଥିବା ଦେଖିବାକୁ ମିଳିଥିଲା। ଖବର ପାଇବା ସୁଦ୍ଧା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନଥିବା ବେଳେ ନିଆଁ ଜଳୁଥିବା ଦେଖିବାକୁ ମିଳିଛି।

ନିଆଁ ତୁରନ୍ତ ଲିଭାଇ ଦିଆ ନଗଲେ ଏହା ଆହୁରି ଅଧିକ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନା ରହିଛି। ଫଳ‌ରେ, ଚିଲିକାର ଜୈବବିବିଧତା ପ୍ରତି ବଡ଼ ବିପଦ ଭାବେ ଉଭାହେବାର ଆଶଙ୍କା ରହିଥିବା ପ୍ରକୃତିପ୍ରେମୀ କହିଛନ୍ତି।