ସାକ୍ଷୀଗୋପାଳ: ଗତକାଲି ଦୀପାବଳି ପାଳନ ବେଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସୁଆଣ୍ଡୋ ଗ୍ରାମସ୍ଥିତ ଷଠୀଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣକୁ ନେଇ ସାଧାରଣରେ ଦୁଃଖ ପ୍ରକାଶ ପାଇଛି। ଅଗ୍ନିକାଣ୍ଡରେ ଘରର ଗୋଟିଏ ବଖରା ଜଳିଯାଇଥିବା ବେଳେ, ଅନ୍ୟ ବଖରାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୀପାବଳି ସନ୍ଧ୍ୟାରେ କିଛି ଦୂରରେ ଉଡୁଥିବା ଗୋଟିଏ ଆକାଶଦୀପ ବାଣ ଚାଳ ଉପରେ ଖସିପଡ଼ିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଅଛି।

Advertisment

ସୂଚନା ଅନୁସାରେ, ଘରର ଚାଳଛପର କୁହୁଳିବା ଦେଖି ଶୁଭାଶିଷ ଦାସ, ଭବାନୀ ଶଙ୍କର ନନ୍ଦ, ତାରାକାନ୍ତ ଦାସ, ଉମାଶଙ୍କର ଦାସ, କାହ୍ନୁ ଚରଣ ଦାସ ଓ ସବ୍ୟସାଚୀ ଦାସ ପ୍ରମୁଖଙ୍କ ସମେତ ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଖବରପାଇ ସାକ୍ଷୀଗୋପାଳରୁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ବ୍ୟାପିବା ଭୟରେ ପଡ଼ୋଶୀ ଘରମାନଙ୍କର ଚାଳର ଛପରକୁ ଓଲାରି ଦିଆଯାଇଥିଲା। ଆଜି ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ଓଡ଼ିଶା ସେତୁ ନିର୍ମାଣ ନିଗମର ପ୍ରକଳ୍ପ ପରିଚାଳକ ଗିରିଜା ନାୟକ କ୍ଷତିଗ୍ରସ୍ତ ଷଠୀଘର ପରିଦର୍ଶନ କରିବା ସହ ଏହାର ମରାମତି ଆରମ୍ଭ କରାଯାଇଛି। ଆସନ୍ତା ସାତଦିନ ମଧ୍ୟରେ ଏହି ମରାମତି ଶେଷ ହେବ ବୋଲି ଜଣାପଡ଼ିଛିl ଏଥିସହିତ, ଓଡ଼ିଶା ସେତୁ ନିର୍ମାଣ ନିଗମ ତରଫରୁ ଉତ୍କଳମଣିଙ୍କ ଷଠୀଘରକୁ ଅଗ୍ନି ନିରୋଧକ କରିବା ନିମନ୍ତେ ଯୋଜନା ଆରମ୍ଭ ହୋଇଛି ବୋଲି ନିଗମର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସଙ୍କ ସୂତ୍ରରୁ ଜଣାପଡ଼ିଛି l

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ତରଫରୁ ୨୫ କୋଟି ଟଙ୍କା ବ୍ୟୟରେ ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ଉନ୍ନୟନ କାର୍ଯ୍ୟ ଓଡ଼ିଶା ସେତୁ ନିର୍ମାଣ ନିଗମ ତରଫରୁ କରାଯାଉଛି l ଉତ୍କଳମଣିଙ୍କ ତତ୍କାଳୀନ ବାସଗୃହର ଢାଞ୍ଚା ଅକ୍ଷୁଣ୍ଣ ରଖି ସିଲିଂ ଉପରେ ଚାଳ ଛପର କରାଯାଇଛି।