ଭିମ୍‌ସାର ଡାୟାଲିସିସ୍‌ ୟୁନିଟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତି‌ଲେ ଶତାଧିକ ରୋଗୀ

ସମ୍ବଲପୁର : ଶୁକ୍ରବାର ବୁର୍ଲା ବଡ଼ ମେଡିକାଲ (ଭିମସାର)ର ଡାଏଲିସିସ୍‌ ୟୁନିଟ୍‌ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଡାଏଲିସିସ୍‌ ୟୁନିଟର ବ୍ୟାଟେରି ରୁମ୍‌ରେ ଥିବା ତାରରେ ସର୍ଟ ସର୍କିଟ ଘଟି ନିଆଁ ଲାଗିବା ପରେ ସେଠାରେ ଥିବା ୨ଟି ବଡ଼ ୟୁପିଏସ୍‌ଓ ୧୫ଟି ବ୍ୟାଟେରି ପୋଡ଼ିଯାଇଥିଲା। ତେବେ ମେଡିକାଲର ଅଗ୍ନିଶମ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିନେବାରୁ ଶତାଧିକ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିଛି। ଅଗ୍ନିକାଣ୍ଡରେ ଗୁରୁତ୍ବପୂର୍ଣ୍ଣ ନାଫ୍ରୋଲୋଜି ବିଭାଗର ଡାଏଲିସିସ୍‌ ୟୁନିଟ୍‌ ଓ ହେମାଡାଏଲିସିସ ୟୁନିଟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଡାଏଲିସିସ୍‌ ୟୁନିଟ୍‌କୁ ଲାଗି ରହିଥିବା ଏଚ୍‌ଡିୟୁରେ ୬ ଜଣ ରୋଗୀଙ୍କ ସମେତ ମୋଟ ୧୩ ଜଣ ଥିଲେ। ସିଲିଂ ପଟରୁ ଧୂଆଁ ବାହାରିବା ପରେ ରୋଗୀମାନଙ୍କୁ ତୁରନ୍ତ ମେଡିସିନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଡାଏଲିସିସ୍‌ ୟୁନିଟ ନିକଟରେ ଆଇସିୟୁ ରହିଥିବାରୁ ବହୁ ଗୁରୁତର ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ‌ହୋଇଥିଲା। ତେବେ ନିଆଁକୁ ନିୟନ୍ତ୍ରଣ କରି ନିଆଯିବାରୁ ବିପଦ ଟଳି ଯାଇଥିଲା। ଏ ନେଇ ମେଡିକାଲ ଅଧୀକ୍ଷକ ଡା.ଜୟଶ୍ରୀ ଦୋରାଙ୍କୁ ପଚାରିବାରେ ସ୍ପାର୍କ ହୋଇ ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି।

ସମ୍ବନ୍ଧିତ ଖବର