ବାରିପଦା : ୨୫ ବର୍ଷ ବିତିଲାଣି। ତଥାପି ଗୁମୁରି କାନ୍ଦୁଛି ବାରିପଦାର ମଧୁବନ ପଡ଼ିଆ। ଠିକ୍ ଆଜିର ଦିନରେ ମଧୁବନ ପଡ଼ିଆରେ ଚାଲିଥିବା ନିଗମାନନ୍ଦ ଭକ୍ତ ସମ୍ମିଳନୀ ଓ ଯଜ୍ଞସ୍ଥଳରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଶତାଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ସେ ସମୟରେ ସାରାଦେଶକୁ ସ୍ତବ୍ଧ କରି ଦେଇଥିଲା।
ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨ହଜାରରୁ ଅଧିକ ଭକ୍ତ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୫୦୦ରୁ ଉର୍ଦ୍ଧ୍ବ ମହିଳା। ସମ୍ମିଳନୀର ଉଦ୍ଯାପନୀ ଦିବସରେ ଅପରାହ୍ନ ପ୍ରାୟ ୩ଟା ୧୫ ସମୟରେ ହଠାତ୍ ସମ୍ମିଳନୀ ସ୍ଥଳରୁ ନିଆଁ ଲାଗି ଚାରିଆଡ଼େ ବ୍ୟାପୀ ଯାଇଥିଲା। ଜୀବନ ବିକଳରେ ଯିଏ ଯୁଆଡ଼େ ଦୌଡ଼ିଥିଲେ। କିଛି ଲୋକ ଜଳନ୍ତା ଅବସ୍ଥାରେ ପାଖ ଗାଁକୁ ପଳାଇଯାଇଥିଲେ ଆଉ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ।
ଯେଉଁମାନେ ଯାଇ ନ ପାରିଲେ ସେମାନେ ସେହି ମଧୁବନ ପଡ଼ିଆରେ ଚିରନିଦ୍ରାରେ ଶୋଇ ପଡ଼ିଥିଲେ। ୨୫୦ରୁ ଊର୍ଦ୍ଧ୍ବ ଭକ୍ତଙ୍କର ଏଥିରେ ମୃତ୍ୟୁ ଘଟିଥିଲା ସରକାରୀ ଭାବେ କୁହାଯାଇଥିଲା, ଯଦିଓ ଏହି ସଂଖ୍ୟା ପ୍ରକୃତରେ ଅଧିକ ଥିଲା। ଏହି ଘଟଣା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡ଼ା, ବିଜୁ ପଟ୍ଟନାୟକ ଓ ଜାନକୀବଲ୍ଲଭ ପଟ୍ଟନାୟକ ମଧୁବନ ଆସିଥିଲେ। ସେଦିନ ସେହି ଭୟାବହ ଅଗ୍ନିକାଣ୍ଡରେ ନିଜ ଲୋକଙ୍କ ହରାଇଥିବା ବ୍ୟକ୍ତିଙ୍କୁ ଏବେ ବି ଝୁରି ହେଉଛନ୍ତି ପରିବାର ଲୋକ। ସେ ଭୟାନକ ଦୃଶ୍ୟକୁ ଏବେ ବି ଭୁଲି ପାରି ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ବିକ୍ରମ କେଶରୀ ଜେନା। ଆଜି ସେହି ମୃତାହତଙ୍କ ସ୍ମୃତିରେ ସହରର ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।