ଭୁବନେଶ୍ବର : ଗତ ଅକ୍ଟୋବରରୁ ବର୍ଷା ହୋଇନି। ତାପମାତ୍ରା ବଢ଼ିବା ସହ ଜଙ୍ଗଲ ଚଟାଣରେ ଶୁଷ୍କତା ବଢ଼ିଯାଇଛି। ଓଡ଼ିଶାରେ ସାଧାରଣତଃ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ ଓ ବସନ୍ତ ଋତୁରେ ପତ୍ରଝଡ଼ା ହୋଇ ଜଙ୍ଗଲ ଚଟାଣ ଶୁଖିଲା ପତ୍ରରେ ଭରିଯାଏ। ଫଳରେ ଅଧିକ ପରିମାଣର ବନାଗ୍ନି ଦେଖାଯାଇଛି। ପ୍ରାୟତଃ ସମସ୍ତ ଜଙ୍ଗଲ ନିଆଁ ମନୁଷ୍ୟକୃତ ଅଟେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।

Advertisment

ବୁଧବାର ଦିନ ଗୃହରେ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାବେଳେ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ, ୨୦୨୧ରେ ସମାନ କାରଣ ଯୋଗୁଁ ୫୬,୬୦୬ଟି ଜଙ୍ଗଲ ନିଆଁ ଦେଖାଯାଇଥିଲା। ସେଥିରୁ ୧୪,୭୨୮ଟି ଜଙ୍ଗଲ ବାହାରେ ଥିଲା। ଚଳିତବର୍ଷ ମାର୍ଚ୍ଚ ୧୩ ସୁଦ୍ଧା ୨୨,୭୮୬ଟି ଜଙ୍ଗଲ ନିଆଁ ଦେଖାଯାଇଛି। ସେଥିରୁ ୪,୫୬୩ଟି ଜଙ୍ଗଲ ବାହାରେ ଦେଖାଯାଇଛି। ବାହାରେ ମକା ଓ ଧାନ ‌ଚାଷ ଫସଲର ଅବିଶିଷ୍ଟାଂଶ ଜଳିବା ଯୋଗୁଁ ଏଥିରୁ ନିଆଁ ଜଙ୍ଗଲକୁ ବ୍ୟାପିଥାଏ। ସେହିପରି ଜଙ୍ଗଲ ମଧ୍ୟରେ ମହୁଲ ଫୁଲ, ଶାଳ ମଞ୍ଜି, ପୋଡ଼ୁ ଚାଷ ଏବଂ ପଶୁ ଶିକାର ପାଇଁ ନିଆଁ ଲାଗିଥାଏ। ଅସାବଧାନତାବଶତଃ ବେଳେବେଳେ ନିଆଁ ଲାଗିଥାଏ। ଏଥର ଗତବର୍ଷ ଅପେକ୍ଷା କମ୍‌ ନିଆଁ ଲାଗିଛି। ଅପରପକ୍ଷେ ‌ଗତବର୍ଷ ବନାଗ୍ନି ରୋକିବାକୁ କେନ୍ଦ୍ର ସରକାର ୧୪୦୪.୧୧ଲକ୍ଷ ଅର୍ଥ ଦେଇଥିବାବେଳେ ଏଥର ୭୬୯.୧୫ଲକ୍ଷ ଟଙ୍କା ଦେଇଛନ୍ତି। ରାଜ୍ୟସରକାର ବନ୍ୟଜନ୍ତୁ ପରିଚାଳନା ପାଇଁ ୨୫୦୦ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

ସେହିପରି ବନାଗ୍ନି ରୋକିବାକୁ ୨୦୨୧ରୁ ୩୦ଟି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବନଖଣ୍ଡ ଅଧିକାରୀ, ରାଜସ୍ବ, ଅଗ୍ନିଶମ, ପୁଲିସ, ବିପର୍ଯ୍ୟୟ ପରିଚାଳନା ୟୁନିଟକୁ ନେଇ ଜିଲ୍ଲାସ୍ତରୀୟ ଯୋଜନାଭିତ୍ତିକ କମିଟି ଗଠନ ହୋଇଛି। ଏଥିପାଇଁ ଏକ ଏସ୍‌ଓପି ବି ପ୍ରସ୍ତୁତ ହୋଇଛି। ଏଥିରେ ପିଆର୍‌ଆଇ, ଭିଏସ୍‌ଏସ୍‌, ଇଡିସି ଏବଂ ମିସନ ଶକ୍ତି ଗ୍ରୁପ୍‌କୁ ନେଇ ବନାଗ୍ନି ପ୍ରତିରୋଧରେ ସାମିଲ୍ କରାଯାଉଛି। ବନଖଣ୍ଡସ୍ତରରେ ୩୯୯ ନିଆଁ ଲିଭାଳି ଦଳକୁ ନିୟୋଜିତ କରାଯାଇଛି। ପିସିସିଏଫ୍‌ଙ୍କ କାର୍ଯ୍ୟାଳୟ ଏବଂ ପ୍ରତି ବନଖଣ୍ଡରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ୧୮୦୦୩୪୫୭୧୫୮ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି।
ଅପରପକ୍ଷେ ନାସା ଏବଂ ହାଇଦ୍ରାବାଦସ୍ଥିତ ନାସନାଲ୍ ରିମୋଟ୍ ସେନ୍ସିଂ ସେଣ୍ଟର (ଏନ୍‌ଆର୍‌ଏସ୍‌ସି), ସେମାନଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥାକୁ ତଥ୍ୟ ପ୍ରଦାନ କରନ୍ତି। ଏହାପରେ ବନାଗ୍ନି ସ୍ଥିତିର ଅକ୍ଷାଂଶ, ଦ୍ରାଘିମା ଆଧାରରେ ନିରୂପଣ କରି ବନଖଣ୍ଡ ଅଧିକାରୀ ନିଆଁକୁ ଆୟତ୍ତ କରନ୍ତି।

ଆମ ରାଜ୍ୟରେ ଜଙ୍ଗଲ ନିଆଁ ସାଧାରଣତଃ ଭୂତଳ ଅଗ୍ନି। ତେଣୁ ଏହା ଜଙ୍ଗଲର ଶୀର୍ଷ (କ୍ରାଉନ୍‌)କୁ ପ୍ରଭାବିତ କରେ ନାହିଁ। ଏହାଯୋଗୁଁ ବୃକ୍ଷରାଜି ଏବଂ ବନ୍ୟଜନ୍ତୁ ପ୍ରଭାବିତ ହୁଅନ୍ତିନି। ବର୍ଷା ଋତୁ ପରେ ଏହିସବୁ ଜଙ୍ଗଲ ନିଆଁ ପ୍ରଭାବିତ ଅଞ୍ଚଳ ପୁଣିଥରେ ପୁନର୍ଜୀବିତ ହୋଇଯାଏ। ଏହାସତ୍ତ୍ବେ ବନାଗ୍ନିର ସୁଦୃଢ଼ ମୁକାବିଲା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।