ଏବେ ଆଉ ରାଜତନ୍ତ୍ର ନାହିଁ। ହେଲେ ନୀଳଗିରି ରାଜବଂଶର ଏକ ଅନନ୍ୟ ପରିଚୟ ରହିଛି। ବର୍ତ୍ତମାନର ତଥାକଥିତ ରାଜା ହେଉଛନ୍ତି ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ। ଯିଏ ଅନେକ ସରକାରୀ ଓ ବେସରକାରୀ ସଂସ୍ଥାରେ ରହି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କାମ କରିବାର ଅଭିଜ୍ଞତା ରଖିଛନ୍ତି। ରାଜାରାଜୁଡା ଅଞ୍ଚଳରେ ଥିବା କୁଲଡ଼ିହା ଜଙ୍ଗଲରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଆଁ ଲାଗିଛି। କିଏ କହୁଛି ପ୍ରାକୃତିକ ଉପାୟରେ ଏମିତି ଅଘଟଣ ଘଟୁଛି ତ ଆଉ କିଏ କହୁଛି ଏହା ମନୁଷ୍ୟକୃତ। ବନ ବିଭାଗ ନିଆଁ ଲିଭାଇ ନପାରି ହାତ ଟେକି ଦେଉଛି। ଏପରି ସ୍ଥିତିରେ ବନାଗ୍ନି ନିୟନ୍ତ୍ରଣ ଓ ଜଙ୍ଗଲ ସୁରକ୍ଷା ନେଇ ରାଜା ଶ୍ରୀ ହରିଚନ୍ଦନଙ୍କ ସହ କଥା ହୋଇଛନ୍ତି ‘ସମ୍ବାଦ’ ନୀଳଗିରି ପ୍ରତିନିଧି ଦିଲ୍ଲୀପ ସ୍ବାଇଁ।
Sambad is now on WhatsApp
Join and get latest news updates delivered to you via WhatsApp
ବନାଗ୍ନିକୁ ନେଇ ଏବେ ରାଜ୍ୟ ସରକାର ଚିନ୍ତାରେ। ଆପଣ ରାଜ ପରିବାରରୁ ଆସିଛନ୍ତି। ରାଜତନ୍ତ୍ର ଥିଲେ ଓ ଜୟନ୍ତ ମର୍ଦ୍ଦରାଜ ରାଜମୁକୁଟ ପିନ୍ଧିଥିଲେ ଏପରି ସଂକଟକୁ କେମିତି ମୁକାବିଲା କରିଥାନ୍ତେ?
ପ୍ରଜାଙ୍କ ସହ ଜଙ୍ଗଲକୁ ଯାଇ ନିଆଁ ଲିଭାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥାଆନ୍ତି। ମୟୂରଭଞ୍ଜର ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଓ ରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ବନାଗ୍ନି ଦମନ ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି।
ନୀଳଗିରି ରାଜା ଜୟନ୍ତ ମର୍ଦ୍ଦରାଜ ମଧ୍ୟ ପ୍ରକୃତିର ସୁରକ୍ଷା ପାଇଁ କାମ କରନ୍ତି। ଗଣତନ୍ତ୍ର ରାଷ୍ଟ୍ରରେ ତଥାକଥିତ ରାଜାରାଣୀଙ୍କ ଏହି କାମକୁ ସମାଜସେବା କହିବା ନା ପ୍ରତିଷ୍ଠା ଅର୍ଜନ ପାଇଁ ବାଧ୍ୟବାଧକତା?
ରାଜାମାନେ ଯାହା କରନ୍ତି ପ୍ରଜାଙ୍କ ପାଇଁ। ଜଙ୍ଗଲ ମୋର ମାଆ। ଜଙ୍ଗଲୀ ଜୀବଙ୍କ ପ୍ରତି ମୋର ଅବେଗ ଅଛି। ସେଥିପାଇଁ ମୁଁ ଓ ମୋ ପିତା କେବେ ମଧ୍ୟ ଜଙ୍ଗଲୀ ଜନ୍ତୁ ଶିକାର କରିନାହୁଁ। ମୋ ମତରେ ସମାଜସେବା ପ୍ରତିଷ୍ଠା ଅର୍ଜନ ପାଇଁ ନୁହେଁ, ଦାୟିତ୍ବ ପ୍ରତିପାଦନର ଏକ ମାଧ୍ୟମ।
ଜଙ୍ଗଲରେ ନିଆଁ ଲାଗୁଛି। ଏହା ମନୁଷ୍ୟକୃତ ବୋଲି ବନ ବିଭାଗ ଓ ବୁଦ୍ଧିଜୀବୀମାନେ କହୁଛନ୍ତି। ପ୍ରାକୃତିକ କାରଣ ନେଇ ମଧ୍ୟ କେହି କେହି ଯୁକ୍ତି ବାଢ଼ୁଛନ୍ତି। ଆପଣଙ୍କର ପ୍ରତିକ୍ରିୟା କ’ଣ?
ଉଭୟ କାରଣରୁ ଜଙ୍ଗଲରେ ନିଆଁ ଲାଗିଥାଏ। ତେବେ ପ୍ରମୁଖ କାରଣ ସାଜନ୍ତି ସ୍ଥାନୀୟ ଲୋକ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ବ୍ୟାପିବା ପଛରେ ଆମରି ଲୋକଙ୍କ ହାତ ଥାଏ।
ଆପଣ ଓଡ଼ିଶା ଷ୍ଟେଟ୍ ବୋର୍ଡ ଫର୍ ୱାଇଲ୍ଡ ଲାଇଫ୍, କୁଲଡ଼ିହା କ୍ରିଟିକାଲ୍ ୱାଇଲ୍ଡ ଲାଇଫ୍ ହେବିଟାଟ୍ ଷ୍ଟେଟ୍ ଏକ୍ସପର୍ଟ କମିଟି, ଖୋର୍ଦ୍ଧା ଏନ୍ଭାଇରନ୍ମେଣ୍ଟ ସୋସାଇଟି ଭଳି ଅନେକ ସଂସ୍ଥାରେ ସଦସ୍ୟ ଭାବେ କାମ କରିଛନ୍ତି। ବନାଗ୍ନି ନିୟନ୍ତ୍ରଣ ନେଇ ନିଜର ଅଭିଜ୍ଞତା କ’ଣ କହିବେ?
ଯଦି ବନ ବିଭାଗର କର୍ମଚାରୀମାନେ ବର୍ଷତମାମ ଦାୟିତ୍ବବାନ ହୋଇ କାମ କରନ୍ତେ ତେବେ ଜଙ୍ଗଲ ଜଳିବା ପରି ଭୟଙ୍କର ସ୍ଥିତି ଉପୁଜୁ ନଥାଆନ୍ତା। ବନ ବିଭାଗ ଫାୟାର୍ ଲାଇନ୍ ପ୍ରସ୍ତୁତ କରୁନି। ଗୋଟିଏ ପାହାଡ଼ରୁ ଅନ୍ୟ ଏକ ପାହାଡ଼କୁ ନିଆଁ ବ୍ୟାପିବାର ସମ୍ଭାବ୍ୟ ଅଞ୍ଚଳକୁ ଯଦି ସଫା ରଖାଯାଆନ୍ତା, ତେବେ ବଡ଼ଧରଣର ବନାଗ୍ନି ଭୟ କମିଯାଆନ୍ତା।
ଯେଉଁମାନେ ଜଙ୍ଗଲରେ ନିଆଁ ଲଗାଉଛନ୍ତି, ସେମାନଙ୍କୁ ଆପଣ ନିଆଁ ନ ଲଗାଇବାକୁ ଅନୁରୋଧ କରିବେ ନା ଚେତାବନୀ ଦେବେ?
ସେମାନଙ୍କୁ ଅନୁରୋଧ କରିବି। ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବୁଝାଇବି। ନମାନିଲେ ଚେତାବନୀ ଦେବି ଆଉ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବି।
ଜଙ୍ଗଲ ଜଳିଲେ, ଲୋକେ ତାତୁଛନ୍ତି। ବନ ବିଭାଗ ଉପରେ ସବୁ ଦୋଷ ଲଦି ଦେଉଛନ୍ତି। ବିଭାଗ କହୁଛି, ଆମ ପାଖରେ କର୍ମଚାରୀଙ୍କ ଅଭାବ ଅଛି। ଏହା କ’ଣ ଗ୍ରହଣଯୋଗ୍ୟ?
ଏକଥା ସତ ଯେ, ବନ ବିଭାଗ ପାଖରେ ଆବଶ୍ୟକ ଅନୁସାରେ କର୍ମଚାରୀ ନାହାନ୍ତି। ତଥାପି ଏହାକୁ ଆଳ କରି ବସିଗଲେ ହେବନି। ସରକାର ସମାଧାନର ବାଟ ବାହାର କରିବା ଉଚିତ।
ବନାଗ୍ନିକୁ ନେଇ ସରକାର ଓ ବନବାସୀଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ’ଣ ରହିବ?
ସରକାର ଦାୟିତ୍ବବାନ୍ ହୁଅନ୍ତୁ। ଫାୟାର୍ ଲାଇନ୍ ଚିହ୍ନଟ କରି ଉକ୍ତ ଅଞ୍ଚଳକୁ ସଫା ରଖନ୍ତୁ। ବନ ବିଭାଗରେ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରନ୍ତୁ। ସେହିପରି ବନବାସୀ ଯେଉଁମାନେ ଜଙ୍ଗଲକୁ ମାଆ ବୋଲି ସମ୍ବୋଧନ କରନ୍ତି, ସେମାନେ ଜଙ୍ଗଲରେ ନିଆଁ ନଲଗାଇ ତା’ର ସୁରକ୍ଷା ପାଇଁ କାମ କରନ୍ତୁ।