ୟୁନିଟ୍-୧ ହାଟ ନିକଟରେ ଅଗ୍ନିକାଣ୍ଡ: ଜଳିଗଲା ୭ ଦୋକାନ, ବର୍ତ୍ତିଗଲା ପେଟ୍ରୋଲ ପମ୍ପ

ଭୁବନେଶ୍ବର: ମଙ୍ଗଳବାର ବିଳମ୍ବିତ ରାତିରେ ୟୁନିଟ୍-୧ ହାଟକଡ଼ରେ ଥିବା ଦୋକାନଗୁଡ଼ିକରେ ନିଆଁ ଲାଗିଛି। ବିସ୍କୁଟ, ମିକ୍ସଚର, ଇଲେକ୍ଟ୍ରି ଦୋକାନରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ୭ଟି ଦୋକାନ ପୋଡ଼ି ଯାଇଥିବା ବେଳେ ଦୁଇଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ସବୁଠୁ ବଡ଼ କଥା ହେଲା, ନିକଟରେ ଥିବା ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପ ଅଳ୍ପକେ ବର୍ତ୍ତି ଯାଇଛି। ଖବର ପାଇ କଳ୍ପନା ଓ ଲୋକସେବା ଭବନ ଅଗ୍ନିଶମ କେନ୍ଦ୍ରର ୪ଟି ଦମକଳ ପହଞ୍ଚି ପ୍ରାୟ ଦେଢ଼ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍ ନା ମନୁଷ୍ୟକୃତ ତାହା ଜଣାପଡ଼ି ନାହିଁ।

ମିଳିଥିବା ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୧୦ଟା ୪୫ରେ ଦୋକାନରେ ନିଆଁ ଲାଗି ପ୍ରଥମେ ପ୍ରବଳ ଧୂଆଁ ବାହାରିଥିଲା। ପରେ ପରେ ଜୋରରେ ଜଳିବାକୁ ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନଶମ କେନ୍ଦ୍ରକୁ ଖବର ଦେଇଥିଲେ। ତୁରନ୍ତ କଳ୍ପନା ଅଗ୍ନିଶମ କେନ୍ଦ୍ରର ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୋକଙ୍କ ଧାଁ ଦୌଡ଼ ଆରମ୍ଭ ହୋଇ ଯାଇଥିଲା। ଘଟଣାସ୍ଥଳରେ ପ୍ରବଳ ଭିଡ଼ ହୋଇ ଯାଇଥିଲା। କିଛି ସମୟ ପରେ ସେକ୍ରେଟାରିଏଟ୍ ଅଗ୍ନିଶମ କେନ୍ଦ୍ରର ଦୁଇଟି ଦମକଳ ଆସି ପହଞ୍ଚିଥିଲା। ୪ଟି ଗାଡ଼ିର ୨୫ ଜଣ କର୍ମଚାରୀ ପ୍ରାୟ ଦେଢ଼ ଘଣ୍ଟା ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଆସନ୍ତାକାଲି କ୍ଷୟକ୍ଷତିର ହିସାବ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର