ବାଲେଶ୍ବର/ଜଳେଶ୍ୱର: ସୁବର୍ଣ୍ଣରେଖାର ଉପରମୁଣ୍ଡରେ ଝିପି ଝିପି ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ଜଳ ଆୟୋଗ କୌଣସି ଆଗୁଆ ସୂଚନା ଜାରି କରି ନ ଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ଜଣେ ଅଧିକାରୀ କହିଛନ୍ତି। ତେବେ, ଜଳକା ଓ ବୁଢ଼ାବଳଙ୍ଗର ଜଳସ୍ତର ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି।
ଗତକାଲିଠାରୁ ଆଜି ସକାଳେ ୮ଟା ମଧ୍ୟରେ ସୁବର୍ଣ୍ଣରେଖା ନଦୀ ଅବବାହିକା ଅଞ୍ଚଳ ଜାମସେଦପୁରରେ ୧୦.୬ ଏମ୍ଏମ୍, ଘାଟଶିଳାରେ ୧୦.୨ ଏମ୍ଏମ୍, ଜାମଶୋଳାଘାଟରେ ୨୪.୨ ଏମ୍ଏମ୍, ଫେକଘାଟରେ ୧୩.୮ ଏମ୍ଏମ୍ ଓ ରାଜଘାଟରେ ସର୍ବାଧିକ ୩୭.୪ ଏମ୍ଏମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଜି ଅପରାହ୍ଣ ୩ଟା ସମୟରେ ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ୬.୬୦ ମିଟର ରହିଥିଲା। ରାଜଘାଟ ପୋଲ ନିକଟରେ ପ୍ରତି ସେକେଣ୍ଡରେ ୮୧୮.୬୭ କ୍ୟୁମେକ୍ ପାଣି ନିଷ୍କାସିତ ହେଉଛି। ସେହିପରି ଜାମଶୋଳାଘାଟଠାରେ ଅପରାହ୍ଣ ୩ଟାରେ ଜଳସ୍ତର ୪୫.୯୨୦ ମିଟର ରହିଥିଲା। ଏଠାରେ ପ୍ରତି ସେକେଣ୍ଡରେ ୭୪୪.୧୩ କ୍ୟୁସେକ୍ ଓ ଫେକଘାଟରେ ୭୬.୦ କ୍ୟୁସେକ୍ ପାଣି ନଦୀକୁ ନିଷ୍କାସିତ ହେଉଛି।
ସୁବର୍ଣ୍ଣରେଖା ଜଳସ୍ତର ବି ବଢ଼ୁଛି
ଜିଲ୍ଲାର ସବୁ ଅଧିକାରୀ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ
ଅନ୍ୟପକ୍ଷରେ, ବୁଢ଼ାବଳଙ୍ଗ ନଦୀରେ ସତର୍କ ସଙ୍କେତ ୭.୨୧ ମିଟର ଥିବାବେଳେ ସନ୍ଧ୍ୟା ସୁଦ୍ଧା ୭.୩୪ ମିଟରରେ ଜଳ ପ୍ରବାହିତ ହେଉଛି। ସେହିପରି, ଜଳକାରେ ସତର୍କ ସଙ୍କେତ ୬.୦୦ ମିଟର ଥିବାବେଳେ ଏଠାରେ ୬.୪୮ ମିଟରରେ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଜାମଶୋଳାଘାଟରେ ସତର୍କ ସଙ୍କେତ ୪୮.୩୨୯ ମିଟର ଥିବା ବେଳେ ୪୫.୯୨୦ ମିଟରରେ ଜଳ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ, ଲଗାଣବର୍ଷା ଜନିତ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ଜରୁରିକାଳୀନ ଅଧିକାରୀ, ସମସ୍ତ ତହସିଲଦାର, ବିଡିଓ, ଲାଇନ୍ ବିଭାଗର ଅଧିକାରୀମାନେ ଯୋଡ଼ି ହୋଇଥିଲେ। ସମସ୍ତ ଅଧିକାରୀମାନଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜଳ ନିଷ୍କାସନରେ ବାଧକ ସାଜୁଥିବା ଅବରୋଧକୁ ହଟାଇବା, ପ୍ରଭାବିତ ଅଞ୍ଚଳରେ ପଲିଥିନ୍ ତୁରନ୍ତ ପ୍ରଦାନ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର ଓ ରେମୁଣା ସହର ଅଞ୍ଚଳରେ ପାଣି ଜମୁଥିବାରୁ ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/05/dgddazcvvc-2025-09-05-03-00-34.jpg)