ଢେଙ୍କାନାଳ : ଘରେ ନ ପଶୁଣୁ ଚାଳ ବାଜିବା ପରି ନବନିର୍ବାଚିତ ପୌରାଧ୍ୟକ୍ଷା ଶପଥ ନେବା ପୂର୍ବରୁ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟର ଶିକାର ହୋଇଛନ୍ତି। ପୌର ନିର୍ବାଚନ ପରେ ଏକପ୍ରକାର ଅଶାନ୍ତ ହୋଇପଡିଛି ଢେଙ୍କାନାଳ ସହର। ଭୋଟଗ୍ରହଣ ରାତିରେ ବିଜେଡି ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଥାନା ଭିତରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପିର ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ଘଟାଇବା ପୂର୍ବରୁ ସେହି ଦୁର୍ବୃତ୍ତମାନେ ଶିମିଳିଆ ଅଞ୍ଚଳକୁ ଯାଇ ସେଠାରେ ଜଣେ ବ୍ୟକ୍ତିଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା କୁହାଯାଉଛି। ଏ ନେଇ ପୀଡ଼ିତ ବ୍ୟକ୍ତିଜଣକ ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ଅଭିଯୋଗକୁ ଭିତ୍ତିକରି ପୁଲିସ୍ ୨ଜଣଙ୍କୁ ଆଜି ସଂଧ୍ୟାରେ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗରୁ ପ୍ରକାଶ, ଗତକାଲି ରାତି ୧୦ଟା ୪୦ ମିନିଟ୍ ସମୟରେ ସହରର ବାଜିଚୌକ୍ ଅଞ୍ଚଳର କେତେକ ନିର୍ଦ୍ଦିଷ୍ଟ ଯୁବକ ୨ଟି ବାଇକ୍ରେ ବିଜେପିର ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ସମ୍ମୁଖରେ ପହଞ୍ଚି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନଙ୍କ ପାଟି ଶୁଣି ଶ୍ରୀମତୀ ପାତ୍ର ତାଙ୍କ ବାଲକୋନିକୁ ଆସି ଦେଖୁଥିବା ବେଳେ ଏହି ଅସାମାଜିକ ଯୁବକମାନେ ତାଙ୍କୁ ଲକ୍ଷ୍ୟ କରି ୫ ରାଉଣ୍ତ ଗୁଳିଚାଳନା କରିଥିଲେ। ଶ୍ରୀମତୀ ପାତ୍ର ଭୟରେ କବାଟ ଦେଇଦେବାରୁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା। ଶ୍ରୀମତୀ ପାତ୍ରଙ୍କ ସ୍ବାମୀ ବିଜେପିର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ରଙ୍କ ନାମ ଉଚ୍ଚାରଣ କରି ଯୁବକମାନେ ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଶ୍ରୀମତୀ ପାତ୍ର ଆଜି ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଶ୍ରୀମତୀ ପାତ୍ର ନିଜ କର୍ମୀମାନଙ୍କ ସହ ଏସ୍ପିଙ୍କ ପାଖକୁ ମଧ୍ୟ ଯାଇ ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରା ନ ଗଲେ ସହରବାସୀଙ୍କୁ ନେଇ ସେମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଶ୍ରୀ ସାହୁଙ୍କ ଅଭିଯୋଗ କ୍ରମେ ଟାଉନ୍ ଥାନାରେ ୧୮୫/୨୨ ଦଫା ୩୪୧, ୨୯୪, ୩୨୩/୫୦୬/୩୪ ଆଇପିସି/୨୫/୨୭ ଆର୍ମସ୍ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି। ସେହିପରି ପୌରାଧ୍ୟକ୍ଷା ଶ୍ରୀମତୀ ପ୍ରାତ୍ରଙ୍କ ଅଭିଯୋଗକ୍ରମେ ୧୮୬/୨୨ରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି। ଉଭୟ ଘଟଣାରେ ଅଭିଯୁକ୍ତ ସତ୍ୟବ୍ରତ ବେହେରା (୨୬) ଏବଂ ସୋମନାଥ ସାହୁ ଓରଫ କାଜୁ (୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/dh-bjp.jpg)