ବାସୁଦେବପୁର: ବାସୁଦେବପୁର ସହରର ବ୍ଲକ୍ରୋଡରେ ଥିବା ପ୍ରକାଶ ବିଶୋଇଙ୍କ ଆରତୀ ଫେବ୍ରିକେସନରେ ଆଜି ସକାଳ ୯ଟା ସମୟରେ ଭୟାବହ ଅଗ୍ନିକାଣ୍ତ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଯାଇଛି।
ସକାଳେ ଫେବ୍ରିକେସନରେ କର୍ମଚାରୀମାନେ କାମ କରୁଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଧୂଆଁ ବାହାରୁଥିଲା। ନିମିଷକ ମଧ୍ୟରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। କର୍ମଚାରୀମାନେ ସାମଗ୍ରୀଗୁଡିକୁ ଉଦ୍ଧାର କରିବା ବଦଳରେ ଜୀବନ ରକ୍ଷା ପାଇଁ ବାହାରକୁ ପଳାଇ ଯାଇଥିଲେ। ଫେବ୍ରିକେସନର କାରଖାନା ଭିତରେ ନିର୍ମିତ ହେଉଥିବା ବଡ ବଡ ଆଲୁମିନିୟମ ଆଲମାରୀ, ପ୍ଲାଏରେ ନିର୍ମିତ ଡ୍ରେସିଂ ଟେବୁଲ, ବହୁ ଦାମୀ ଫର୍ଣ୍ଣିଚର ସହ ବିଭିନ୍ନ ଘରୋଇ ଆସବାବପତ୍ର ଜଳିଯାଇଥିଲା।
ଖବର ପାଇ ବାସୁଦେବପୁରରୁ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇବାରେ ଲାଗିଥିଲା। ତେବେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ଲାଗି ବହୁ ସମୟ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ବି ବିଦ୍ୟୁତ ସଟ୍ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡରେ ବହୁ ପରିମାଣର ସମ୍ପତ୍ତି ପୋଡ଼ି ଛାରଖାର ହୋଇଯାଇଛି।