ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା: ୪୪.୫ ଡିଗ୍ରି ସହ ବୌଦ୍ଧ ଉତ୍ତପ୍ତ, ୪୩ ଡିଗ୍ରି ଉପରେ ୯ ସହର

ପଶ୍ଚିମା ପବନରେ ପଶ୍ଚିମ ଓ ଅଭ୍ୟନ୍ତର ଜଳିବ, ଦକ୍ଷିଣା ପବନ ଉପକୂଳକୁ ଶୀତଳ ରଖିବ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ଜାରି ରହିଛି ନିଆଁବର୍ଷା। ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର ଓ ଟିଟିଲାଗଡ଼ ଆଦି ଜିଲ୍ଲା ପାଲଟିଛି ନିଆଁପିଣ୍ଡ। ୪୪.୫ ଡିଗ୍ରି ତାପମାତ୍ରା ସହ ବୌଦ୍ଧ ରାଜ୍ୟର ତତଲାଗଡ଼ ପାଲଟିଛି। ପଛକୁ ପଛ ଝାରସୁଗୁଡ଼ାରେ ୪୩.୯ ଡିଗ୍ରି, ବଲାଙ୍ଗୀରରେ ୪୩.୮ ଡିଗ୍ରି, ସୋନପୁରରେ ୪୩.୬ ଡିଗ୍ରି ଓ ଟିଟିଲାଗଡ଼ରେ ୪୩.୫ ଡିଗ୍ରି ତାପମାତ୍ରା ଆଜି ରେକର୍ଡ ହୋଇଛି। ରାଜ୍ୟର ୯ ସହର ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୨ ଡିଗ୍ରି ଉପରେ ୧୪ ସହରର ତାପମାତ୍ରା ରହିଥିଲା। ସମୁଦାୟ ୨୨ ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଥିଲା। ତେବେ‌ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାବାସୀଙ୍କୁ ଏହି ତାତିରୁ ନିସ୍ତାର ମିଳିବ ନାହିଁ। ମାସ ଶେଷ ପର୍ଯ୍ୟନ୍ତ ଏହି ତାତି ଜାରି ରହିବ। ଖାଲି ସେତିକି ନୁହେଁ, ବୋଝ ଉପରେ ନଳିତା ବିଡ଼ା ଭଳି ଗ୍ରୀଷ୍ମ ପ୍ରବାହ ବି ଲୋକଙ୍କ ନୟାନ୍ତ କରିବ। ଗୋଟିଏ ପଟେ ପଶ୍ଚିମା ପବନ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାକୁ ଗରମରେ କଲବଲ କରିବ, ଅନ୍ୟପଟେ ଦକ୍ଷିଣା ପବନ ଉପକୂଳକୁ ଥଣ୍ଡା କରିବ ବୋଲି ଜଣାପଡ଼ିଛି।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପ୍ରବାହିତ ହେବାର ଆଶଙ୍କାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୋନପୁର ଓ ବଲାଙ୍ଗୀର ଆଦି ଜିଲ୍ଲାରେ ହିଟ୍‌ ୱେଭ୍‌କୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୩୦ ତାରିଖ ଯାଏ ରାଜ୍ୟର ଏହି ସବୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।‌ ଏହି ସମୟରେ ଖରାକୁ ନବାହାରିବାକୁ ତଥା ଖରାକୁ ବାହାରିଲେ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ବାୟୁମଣ୍ଡଳର ତଳଭାଗରେ ଉତ୍ତର-ପଶ୍ଚିମ ବା ପଶ୍ଚିମା ଶୁଷ୍କ ଓ ଗରମ ପବନର ପ୍ରବାହ ତଥ‌ା ସୌରତାପ କାରଣରୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ଆସନ୍ତା ୨ ଦିନରେ ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି କେନ୍ଦ୍ର ସୂଚନା ଦେଇଛି।

ଅନ୍ୟପଟେ ଆଜି ରାଜଧାନୀ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳକୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଆଜି ରାଜଧାନୀର ସର୍ବାଧିକ ଦିନ ତାପମାତ୍ରା ୩୯.୬ ରହିଥିବା ବେଳେ କଟକର ଦିନ ତାପମାତ୍ରା ଥିଲା ୩୮.୮ ଡିଗ୍ରି। ବର୍ତ୍ତମାନ ଉପକୂଳ ଓଡ଼ିଶାକୁ ଦକ୍ଷିଣା ପବନ ବହିବା ଆରମ୍ଭ କରିବ। ଫଳରେ ଉପକୂଳର ତାପମାତ୍ରା ଧୀରେଧୀରେ କମିବ ଓ ୨ ଦିନରେ ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିଯିବ ବୋଲି ପାଣିପାଗ ‌କେନ୍ଦ୍ର କହିଛି। ଆସନ୍ତା ୫ ଦିନରେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାର ଦିନ ତାପମାତ୍ରା ସ୍ବା‌ଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଏଥିସହ ଉପକୂଳ ଓଡ଼ିଶାର କେତେକ ସ୍ଥାନର ତାପମାତ୍ରା ସ୍ବାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର