କ୍ଷେତ୍ରୀୟ କର୍ମଚାରୀ ଦେବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର, ୨୦୨୦ ଏପ୍ରିଲ ପହିଲାରୁ ହେବ ଅନ୍‌ଲାଇନ

ଭୁବନେଶ୍ୱର: ବିଭିନ୍ନ ବାସଗୃହ ଓ ବିଲ୍‌ଡିଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଏବେ ଆଉ ଅଗ୍ନିଶମ ସେବା ନିର୍ଦେଶାଳୟକୁ ଯିବାକୁ ପଡ଼ିବ ନାହିଁ। ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ। ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନତା ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ଅଧିକାର କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଏ ସଂକ୍ରାନ୍ତରେ ବିସ୍ତୃତ ଘୋଷଣାନାମା ଆଜି ପ୍ରକାଶ ପାଇଛି।

ଏହି ନୂତନ ନିଷ୍ପତ୍ତି ଦୈନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜତା ଆଣି ପାରିବ। ରାଜ୍ୟ ସରକାରଙ୍କ ‘୫-ଟି’ ନୀତି ଅନୁଯାୟୀ ମଧ୍ୟ ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସମୟ ଉପଯୋଗୀ କରାଯାଇଛି। ନୂଆ ନିୟମ ଅନୁଯାୟୀ, କ୍ଷେତ୍ରୀୟ କର୍ମଚାରୀମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର ୧୮ଦିନ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରିବେ। ପ୍ରମାଣପତ୍ରର ଅବଧି ଦୁଇ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଆବାସିକ କୋଠାବାଡ଼ି କ୍ଷେତ୍ରରେ ୫ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାଦ୍ୱାରା ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସି ପାରିବ। ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନି ସୁରକ୍ଷା ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନର ସଂପୂର୍ଣ୍ଣ ବ୍ୟବସ୍ଥା ଅନଲାଇନ ଜରିଆରେ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ନୂତନ ନିଷ୍ପତ୍ତି ଅନୁଯାୟୀ, ୧୫ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ କୋଠା ପାଇଁ କ୍ୟାଡର୍‌ ଡେପୁଟି ଫାୟାର ଅଫିସର୍‌, ୧୫ରୁ ୩୫ମିଟର ଉଚ୍ଚତା ବିଶିଷ୍ଟ କୋଠା ପାଇଁ ରେଞ୍ଜ ଫାୟାର ଅଫିସର୍‌, ୩୫ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ କୋଠା ପାଇଁ ଚିଫ୍ ଫାୟାର ଅଫିସର, ୧୨ମିଟରରୁ କମ୍ ଉଚ୍ଚତା ତଥା ୩୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଯାହାର କି ଅନ୍ତତଃପକ୍ଷେ ଗୋଟିଏ ଆଇସିୟୁ ଥିବ ସେ କ୍ଷେତ୍ରରେ ଆସିଷ୍ଟାଣ୍ଟ ଫାୟାର୍‌ ଅଫିସର୍‌, ୧୨ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଉପରୋକ୍ତ ବୈଶିଷ୍ଟ୍ୟଯୁକ୍ତ ଚିକିତ୍ସାଳୟ ପାଇଁ ଡେପୁଟି ଫାୟାର ଅଫିସର, ସିନେମା ହଲ ପାଇଁ ଆସିଷ୍ଟାଣ୍ଟ ଫାୟାର୍‌ ଅଫିସର୍‌, ୩ ତାରକାରୁ କମ୍ ହୋଟେଲ, ଲଜିଂ, ଓ ଗେଷ୍ଟ ହାଉସ ପାଇଁ ଡେପୁଟି ଫାୟାର ଅଫିସର୍‌, ବିମାନବନ୍ଦର, ବିମାନ ଅବତରଣ କେନ୍ଦ୍ର, ଷ୍ଟାଡିୟମ, ବହୁତଳ କାର୍‌ ପାର୍କିଂ, ଭୂତଳ ଓ ଆଂଶିକ ଭୂତଳ କାର୍‌ ପାର୍କିଂ ପାଇଁ ରେଞ୍ଜ ଅଫିସର, ‌ପେଟ୍ରୋଲ ପମ୍ପ ଓ ଏଲ୍‌ପିଜି ଗୋଦାମ ପାଇଁ ଆସିଷ୍ଟାଣ୍ଟ ଫାୟାର୍‌ ଅଫିସର୍‌, କ୍ଷୁଦ୍ର ଶିଳ୍ପ, କଳକାରଖାନା, ଗୋଦାମ ଘର, ବିସ୍ଫୋରକ ଦ୍ରବ୍ୟ ସଂରକ୍ଷଣ, ପରିବହନ ବିକ୍ରୟ ଏବଂ ଆତସବାଜି ଉତ୍ପାଦନ ଓ ବିକ୍ରୟ ପାଇଁ ଡେପୁଟି ଫାୟାର ଅଫିସର୍‌ ଏବଂ ବୃହତ ଶିଳ୍ପ ବିସ୍ଫୋରକ ଦବ୍ର‌୍ୟ ଉତ୍ପାଦନକାରୀ, ପେଟ୍ରୋଲିୟମ ତଥା ଅନ୍ୟ ଦାହ୍ୟ ଡିପୋ ଆଦି କ୍ଷେତ୍ର‌‌ରେ ରେଞ୍ଜ ଫାୟାର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ।

ସମ୍ବନ୍ଧିତ ଖବର