ଭୁବନେଶ୍ୱର : ଉଚ୍ଚଅଟାଳିକା ଓ ବିଲ୍ଡିଂର ଅଗ୍ନିଶମ ସୁରକ୍ଷା ପ୍ରମାଣ ପତ୍ର ପାଇଁ ଆଉ ଅଫିସ୍ ଯିବାକୁ ପଡ଼ିବନି। ଏଣିକି ଅନ୍ଲାଇନ୍ରେ ଆବେଦନ କଲେ ଏହି ପ୍ରମାଣ ପତ୍ର ମିଳିପାରିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଅଗ୍ନିଶମ ସେବା ଅନ୍ଲାଇନ୍ ପୋର୍ଟାଲ୍ର ଲୋକାର୍ପଣ କରିଛନ୍ତି। ଏଥିସହିତ ଅଗ୍ନିଶମ ବିଭାଗରେ ୮ଟି ସାଧାରଣ ସେବା ଅନ୍ଲାଇନ୍ ଯୋଗେ ଉପଲବ୍ଧ ହୋଇଛି। ଆସନ୍ତା ଅକ୍ଟୋବର ୨ ତାରିଖ ସୁଦ୍ଧା ଗୃହ ବିଭାଗ ଅଧୀନରେ ଥିବା ଅଗ୍ନିଶମ ବିଭାଗର ସମସ୍ତ ସେବାକୁ ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ଲୋକଙ୍କୁ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସେବାର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅନ୍ଲାଇନ୍ ସେବା ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ପ୍ରଶାସନିକ ସ୍ବଚ୍ଛତା ଓ ସମୟୋଚିତ ସେବା ଯୋଗାଇବାରେ ଅଧିକ ସଫଳତା ଆଣିବ। ସରକାରଙ୍କ ୫'ଟି' ସଂସ୍କାର କାର୍ଯ୍ୟକ୍ରମର ଏହା ହେଉଛି ଅଂଶବିଶେଷ। ଏହି ଅନ୍ଲାଇନ୍ ସେବା ଦ୍ବାରା ମଲ୍ଟିପ୍ଲେକ୍ସ୍, ସପିଂ ମଲ୍, କ୍ଲିନିକ୍ ବିଲ୍ଡିଂଗୁଡ଼ିକର ଅଗ୍ନିଶମ ସୁରକ୍ଷା ପ୍ରମାଣ ପତ୍ର ଦେବାରେ ତ୍ବରିତ୍ ନିଷ୍ପତ୍ତି ନିଆଯାଇପାରିବ। ଏହି ଅବସରରେ ଅମ୍ଫାନ୍ ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ରାଜ୍ୟ ଅଗ୍ନିଶମ ବାହିନୀ ପକ୍ଷରୁ କରାଯାଇଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଭୂୟଶୀ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ଯେ କୌଣସି ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ଅଗ୍ନିଶମ ବାହିନୀ ଯବାନମାନେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରିଆସିଛନ୍ତି। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆହୁରି ଅଧକ ସଫଳତା ପାଇଁ ଅଗ୍ନିଶମ ବାହିନୀକୁ ଉନ୍ନତ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳ ଯୋଗାଇ ଦିଆଯିବ। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଥିଲେ, ଏହି ଅନ୍ଲାଇନ୍ ସେବା ଦ୍ବାରା ଆବେଦନକାରୀଙ୍କୁ ଅଗ୍ନିଶମ ଅଫିସକୁ ଆଉ ବାରମ୍ବାର ଆସିବାକୁ ପଡ଼ିବ ନାହିଁ। ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ୫'ଟି' ଶାସନ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍, ଅଗ୍ନିଶମ ବାହିନୀ ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।