ସପିଂ ମଲ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ, ତ୍ରୁଟି ନସୁଧାରିଲେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର: କେନ୍ଦୁଝର ଅଗ୍ନିଶମ ବିଭାଗ ପକ୍ଷରୁ ଆଜି କେନ୍ଦୁଝର ସହରର ବିଭିନ୍ନ ସପିଂମଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ସହରରେ ଥିବା ଭି ମାର୍ଟ, ଷ୍ଟାଇଲ ବଜାର, ରିଲାଏନ୍ସ ଟ୍ରେଣ୍ଡ ଏବଂ ବିଗ୍‌ବଜାର ସପିଂମଲ୍‌ର ଅଗ୍ନି ନିରାପତ୍ତା ବ୍ୟବସ୍ଥା‌ ଯାଞ୍ଚ କରାଯାଇଛି। ବିଗ୍‌ବଜାରର ସମସ୍ତ ବ୍ୟବସ୍ଥା ଠିକ୍‌ ଥିବାବେଳେ ଅନ୍ୟ ମଲ୍‌ ଗୁଡ଼ିକରେ କିଛି ତ୍ରୁଟି ଦେଖିବାକୁ ମିଳିଛି। ତୁରନ୍ତ ତ୍ରୁଟି ସୁଧାରିବାକୁ ମଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ନ‌ଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନଶମ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ସେହିପରି ଅନେକ ମଲ୍‌ର ରାସ୍ତା ତଥା ପାହାଚ ଗୁଡ଼ିକର ଦୁଇ ପାର୍ଶ୍ବରେ ଜିନିଷ ରଖାଯାଇଛି। ତାହାକୁ ହଟାଇବାକୁ ନିର୍ଦେଶ ଦିଆଯାଇଛି।

ଚଢ଼ଉ ସମୟ‌ରେ ମଲ୍‌ରେ ନିଯୁକ୍ତ ହୋଇଥିବା ଉଭୟ ପୁରୁଷ ଓ ମହିଳା କର୍ମଚାରୀଙ୍କୁ ନିଆଁଲିଭା ଯନ୍ତ୍ରର ବ୍ୟବହାର ଏବଂ ନିଆଁକୁ କିପରି ଆୟତ୍ତ କରାଯିବ ସେ ସମ୍ପର୍କରେ ପଚରାଉଚରା କରାଯାଇଥିଲା। ମକ୍‌ଡ୍ରିଲ୍‌ ହୋଇଥିଲା। ଭି-ମାର୍ଟ, ଷ୍ଟାଇଲ ବଜାର, ରିଲାଏନ୍ସ ଟ୍ରେଣ୍ଡ ସପିଂମଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତ୍ରୁଟି ଥିବା ସହକାରୀ ଅଗ୍ନିଶମ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲ କହିଛନ୍ତି। ଏହି ୩ଟି ମଲ୍‌ରେ ସ୍ପ୍ରିଙ୍କଲର ଥିବାବେଳେ ପାଣିପାଇଁ ବ୍ୟବସ୍ଥା କରାଯାଇ ନାହିଁ। ତୁରନ୍ତ ସମସ୍ତ ବ୍ୟବସ୍ଥାକୁ ଠିକ୍ କରିବାପାଇଁ ନିର୍ଦେଶ ଦେଥିଲେ। ତେବେ ଆଗାମୀ ଦିନରେ ବିଭିନ୍ନ ସପିଂମଲ, ମାର୍କେଟ କଂପ୍ଲେକ୍ସ, ହଷ୍ଟେଲ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କଲେଜ, ହସ୍ପିଟାଲ, ସ୍କୁଲ୍‌, ନର୍ସିଂହୋମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ସହକାରୀ ଅଗ୍ନିଶମ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର