କଟକ : କଟକର ଅଧିକାଂଶ ହୋଟେଲ୍‌ ଓ ସପିଂ ମଲ୍‌ରେ ନାହିଁ ସର୍ବନିମ୍ନ ଅଗ୍ନି ନିରାପତ୍ତା ବ୍ୟବସ୍ଥା। କଟକର ବ୍ୟସ୍ତବହୁଳ ବାଦାମବାଡି ଅଞ୍ଚଳରେ ଥିବା ଏକ ସପିଂ ମଲ୍‌ରେ ଦୁର୍ଘଟଣା ସମୟରେ ବାହାରିବାର ବାଟ ବି ନାହିଁ। ସିଡିଏ ଘର ପାଇଁ ଅନୁମତି ଦେଇଥିବା ବେଳେ ସେଠି ହୋଟେଲ୍‌ ଖୋଲିଛି। ହୋଟେଲ୍‌ ତଳେ ଗ୍ୟାସ୍‌ ସିଲିଣ୍ଡର ଗଚ୍ଛିତ ରହୁଛି। ରିକ୍ରେସନ୍‌ କ୍ଲବ୍‌ ପାଇଁ ଅନୁମତି ନେଇ ହୋଟେଲ୍‌ ଖୋଲା ଯାଇଛି। ସପିଂ ମଲ୍‌ରେ ସର୍ବନିମ୍ନ ବାୟୁ ଚଳାଚଳ ବ୍ୟବସ୍ଥା ବି ନାହିଁ। ହୋଟେଲ୍‌ର ବାହାରିବା ବାଟରେ ଗ୍ୟାସ୍‌ ବ୍ୟବସାୟ ହେଉଛି। କାଗଜ, କନା, କାର୍ଟୁନ ଭଳି ଅଗ୍ନି ଅନୁକୂଳ ସାମଗ୍ରୀ ବିପଜ୍ଜନକ ଭାବେ ହୋଟେଲ, ସପିଂ କରିଡୋରରେ ଗଚ୍ଛିତ ରଖାଯାଇଛି।

Advertisment

କଟକର ଏଭଳି ସ୍ଥିତି ଆଜି ଅଗ୍ନିଶମ ବିଭାଗର ଯାଞ୍ଚ ସମୟରେ ଧରା ପଡିଛି। ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି କଟକର ୧୨ଟି ପ୍ରମୁଖ ହୋଟେଲ୍‌ ଏବଂ ସପିଂ ମଲ୍‌ ଉପରେ ଚଢଉ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିଥିଲେ। କିନ୍ତୁ ଏଭଳି ବିପଜ୍ଜନକ ସ୍ଥିତି ଏବଂ ନିୟମର ଖୋଲା ଉଲ୍ଲଘଂନ ଧରା ପଡ଼ିବା ପରେ ବିଭାଗ ପକ୍ଷରୁ ସେମାନଙ୍କୁ ନୋଟିସ୍‌ ଜାରି କରାଯାଇଛି। ନିୟମ ଅନୁଯାୟୀ ବ୍ୟବସ୍ଥା କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ହୋଟେଲ୍‌ ଏବଂ ସପିଂ ମଲ୍‌ର ମାଲିକ ମାନଙ୍କୁ ସମସ୍ତ କର୍ମଚାରୀଙ୍କୁ ଅଗ୍ନି ମୁକାବିଲା ତାଲିମ ଦେବାକୁ ପରାମର୍ଶ ଦିଆଯାଇଛି। ଅଗ୍ନି ଶମ ବିଭାଗର ଡିଜି ବିଜୟ କୁମାର ଶର୍ମା ଏ ସଂପର୍କିତ ସୂଚନା ଦେବା ସହ ସାଧାରଣ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ନିୟମ ପାଳନ ଦିଗରେ କଡାକଡି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।