କଟକ : ନର୍ସିଂ ହୋମ୍, ହୋଟେଲ୍ ପରେ ଆଜି ସପିଂ ମଲ୍ରେ ବେସାମରିକ ପ୍ରତିରକ୍ଷା ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଇଛି । ଭୁବନେଶ୍ୱରରେ ଥିବା ପ୍ରମୁଖ ୧୦ଟି ସପିଂ ମଲ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପାଇଁ ଚଢ଼ଉ ହୋଇଥିଲା। ମାତ୍ର ଦୁଇଟି ମଲ୍ ମାଲିକ ଲାଇସେନ୍ସ ନେଇଥିବା ବେଳେ ଅବଶିଷ୍ଟ ବିନା ଲାଇସେନ୍ସରେ ମଲ୍ ଚଲାଉଥିଲେ । ଯେଉଁ ଦୁଇଟି ମଲ୍ ପାଇଁ ଲାଇସେନ୍ସ ନିଆଯାଇଥିଲା, ସେଥିରେ ଅନେକ ଅଗ୍ନି ନିର୍ବାପକ ଉପକରଣ ବି ନଥିଲା । ଯେଉଁମାନେ ଉପକରଣ ରଖିଥିଲେ, ଅଗ୍ନିକାଣ୍ଡ ଘଟିଲେ, କିଭଳି ବ୍ୟବହାର କରାଯିବ, ସେ ସମ୍ପର୍କିତ ଜ୍ଞାନ କୌଶଳ ମାଲୁମ୍ ନଥିଲା । ମୋଟାମୋଟି ଭାବେ ସମସ୍ତ ମଲ୍ରେ ସାଙ୍ଘାତିକ ତ୍ରୁଟି ଆଜି ସାମ୍ନାକୁ ଆସିଥିଲା । ତେଣୁ ମୋଟ ୧୦ଟି ମଲ୍ର ମାଲିକଙ୍କୁ ଦୁଇ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ସୂଚନା ମିଳିିଛି ।
ଅକ୍ଟୋବର ୪ ତାରିଖରେ ଅଗ୍ନିଶମ ବିଭାଗ ପାଇଁ ନୂଆ ଆଇନ କାର୍ଯ୍ୟକାରୀ ହୋଇଥିବା ବେଳେ ପରେ ବିଭାଗର ନାମ ବେସାମରିକ ପ୍ରତିରକ୍ଷା ବିଭାଗକୁ ପରିବର୍ତ୍ତନ କରାଯାଇଛି । ଆଜି ଭୁବନେଶ୍ୱରରେ ପ୍ରମୁଖ ସପିଂ ମଲ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବାକୁ ୧୦ଟି ଟିମ୍ ଗଠନ କରାଯାଇଥିଲା । ପ୍ରତି ଟିମ୍ରେ ଜଣେ ଅଫିସର୍ଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ସାମିଲ ହୋଇଥିଲେ । ଦିନ ପ୍ରାୟ ୧୨ଟା ୩୦ରୁ ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ଏହି ଚଢ଼ଉ ଜାରି ରହିଥିଲା। ଆଜି ସହିଦନଗରର ପାଣ୍ଟାଲୁନ୍, ସେଣ୍ଟ୍ରାଲ୍, ନୟାପଲ୍ଲୀର ଦି ଓ୍ଵାର୍ଲଡ୍, ପଟିଆର ବିଗ୍ ବଜାର, ଖାରବେଳନଗର ବିଗ୍ ବଜାର, ବିଏମ୍ସିର ଭବାନୀ ମଲ୍, ଖଣ୍ଡଗିରିର ଦି ଓ୍ଵାର୍ଲ୍ଡ୍, ନୟାପଲ୍ଲୀର ବିଶାଲ୍ ମେଗା ମାର୍ଟ, ନୟାପଲ୍ଲୀର ବିଗ୍ ବଜାର ଓ ଭି ୨ ଏବଂ ଜୟଦେବ ବିହାରର ପାଲ୍ ହାଇଟ୍ସରେ ଯାଞ୍ଚ କରାଯାଇଥିଲା । ଏଥିରୁ ଭବାନୀ ମଲ୍ ଏବଂ ସେଣ୍ଟ୍ରାଲ୍ ସପିଂ ମଲ୍ର ଲାଇସେନ୍ସ ଥିବା ବେଳେ ଅନ୍ୟ ୮ଟି ମଲ୍ର ନଥିଲା । ସମସ୍ତ ସପିଂ ମଲ୍ ଯାଞ୍ଚ ବେଳେ ପ୍ରସ୍ଥାନ ଦ୍ୱାର ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା । କୌଣସି ଅଘଟଣ ଘଟିଲେ ଗ୍ରାହକଙ୍କୁ ମଲ୍ରୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିବ ବୋଲି ଟିମ୍ ଅନୁଭବ କରିଥିଲା ।
ବେସାମରିକ ସୁରକ୍ଷା ବିଭାଗର ନିର୍ଦ୍ଦେଶକ ବିଜୟ ଶର୍ମା କହିଛନ୍ତି, ୧୦ଟି ମଲ୍କୁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା । ସେହି ଆଧାରରେ ସ୍ଥିତି ପରିଖିବାକୁ ଆଜି ଯାଞ୍ଚ କରାଯାଇଥିଲା । ଅଧିକାଂଶ ମଲ୍ରେ ଅଗ୍ନି ନିର୍ବାପକ ଉପକରଣ ବ୍ୟବହାର ମାଲୁମ ନଥିବା ବେଳେ ଆଉ କିଛି ମଲ୍ରେ ସଂରଜାମ ରଖାଯାଇନଥିଲା। ଆଜି ଯାଞ୍ଚ ପରେ ସମସ୍ତ ମଲ୍ର ପୃଥକ ତଦନ୍ତ ରିପାର୍ଟ ପ୍ରସ୍ତୁତ କରାଯିବ । ଦୁଇ ଦିନ ମଧ୍ୟରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ତ୍ରୁଟି ସୁଧାରିବାକୁ ସମୟ ଦିଆଯିବ । ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ଆବଶ୍ୟକୀୟ ଉପକରଣ ଏବଂ ଲାଇସେନ୍ସ ନେବାକୁ ତାରିଖ ଧାର୍ଯ୍ୟ କରାଯିବ । ଏହି ସମୟ ମଧ୍ୟରେ ପାଳନ କରାନଗଲେ ନିୟମ ଖିଲାପ କରୁଥିବା ମଲ୍ଗୁଡ଼ିକୁ ସିଲ୍ କରିଦିଆଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ୨୨ ତାରିଖରେ ବେସାମରିକ ସୁରକ୍ଷା ବିଭାଗ ପକ୍ଷରୁ ରାଜ୍ୟର ତିନିଟି ଜିଲ୍ଲାରେ ଥିବା ମୋଟ ୨୬ଟି ଘରୋଇ ନର୍ସିଂ ହୋମ୍ରେ ଚଢ଼ଉ କରାଯାଇଥିଲା । କୌଣସି ଗୋଟିଏ ବି ନର୍ସିଂହୋମ୍ରେ ଅଗ୍ନି ନିରାପତ୍ତା ଉପକରଣ ବ୍ୟବହାର କରାଯାଉନଥିବା ଦେଖିବାକୁ ମିଳିଥିଲା । ଉକ୍ତ ନର୍ସିଂହୋମ୍କୁ ନୋଟିସ୍ ଜାରି କରାଯାଇଥିଲା । ସେହିପରି ଡିସେମ୍ବର ୩୦ ତାରିଖରେ ୬ଟି ସହରରେ ପ୍ରାୟ ୪୦ଟି ହୋଟେଲ୍ ଏବଂ କ୍ଲବ୍ରେ ଚଢ଼ଉ କରାଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା ।