ଭୁବନେଶ୍ବର: ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ ଘଟି ଯାତ୍ରୀଙ୍କ ଜୀବନ ଯିବା ଭୟ ସମସ୍ତଙ୍କୁ ଘାରିଛି। ଏହାକୁ ଗୁରୁତର ସହ ନେଇଛି ପରିବହନ ଓ ଅଗ୍ନିଶମ ବିଭାଗ। କିଭଳି ଏହି ବିପଦପୂର୍ଣ୍ଣ ଯାତ୍ରାକୁ ଏଡ଼ାଇ ହେବ, ଏଥିପାଇଁ ‌ସ୍କୁଲ୍‌ ବସ୍‌ ଠାରୁ ଆରମ୍ଭ କରି ନାଇଟ୍‌ ‌କୋଚ୍‌, ଏସି ବସ୍‌, ସ୍ଲିପର କୋଚ୍‌ ପର୍ଯ୍ୟନ୍ତ ସମସ୍ତ ବସ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିବାକୁ ବାଧ୍ୟତାମୂଳକ କରାଯାଇଛି। କେବଳ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିଲେ ହେବନାହିଁ। ଏହାର ବ୍ୟବହାର ସମ୍ପର୍କରେ ମଧ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ହେବ। ବସ୍‌ରେ ଅଗ୍ନିକାଣ୍ଡ ଘଟିଲେ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ? ବସ୍‌ର ପ୍ରତ୍ୟେକ୍‌ କର୍ମଚ‌ାରୀ ଏ ସମ୍ପର୍କରେ ଜାଣିବା ଜରୁରୀ। ଆଗାମୀ ଦିନରେ ଏହାର କଡ଼ାକଡ଼ି ଯାଞ୍ଚ ହେବ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଜରିମାନା ତ ଗଣିବେ, ଦରକାର ପଡ଼ିଲେ ବସ୍‌କୁ ଜବତ କରାଯିବ। ଏନେଇ ଆଜି ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ରେ ବାଣିଜ୍ୟ ଓ ପରିବହନ ବିଭାଗ, ଅଗ୍ନିଶମ ଓ ଜରୁରିକାଳୀନ ସେବା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ବସ୍‌ ମାଲିକ ସଂଘକୁ ନେଇ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ପରିବହନ କମିସନର ଅମିତାଭ ଠାକୁର ଯୋଗଦେଇ ଏଭଳି ସୂଚନା‌ ଦେଇଛନ୍ତି। 

Advertisment

ରାଜ୍ୟରେ କେତେ ସଂଖ୍ୟାରେ ଏସି, ନାଇଟ୍‌କୋଚ, ସ୍ଲିପର ଓ ସ୍କୁଲ୍‌ ବସ୍‌ ଚାଲିଛି? କେଉଁ କେଉଁ ବସ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି? କେଉଁ ବସ୍‌ରେ ନିରାପତ୍ତା ବ୍ୟବସ୍ଥା ନାହିଁ? ଏହାର ଏକ ତାଲିକା କରାଯିବ। ଯେଉଁ ବସ୍‌ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥି‌ବ ସେଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାକୁ ସୁନିଶ୍ଚିତ କରିବେ। ନଚେତ୍ ପରବର୍ତ୍ତୀ ସମୟରେ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ବସ୍‌ର କର୍ମଚାରୀଙ୍କୁ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର ସମ୍ପର୍କରେ ଓ ଅଗ୍ନିକାଣ୍ଡ ଘଟିଲେ କିଭଳି ଏହାକୁ ଆୟତ୍ତ କରିବେ ସେ ସମ୍ପର୍କରେ ତାଲିମ ଦିଆଯିବ। ‌କାହିଁକି ବସ୍‌ରେ ଅଗ୍ନିକାଣ୍ଡ ଘଟେ? କେଉଁଠୁ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ଥାଏ? ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡକୁ ରୋକିବା ପାଇଁ କ’ଣ ପଦକ୍ଷେପ ନେବାକୁ ହେବ? ସେ ସବୁ ଦିଗ ଉପରେ ସେମାନଙ୍କୁ ତାଲିମ୍‌ ଦିଆଯିବ। ଏଥିପାଇଁ ପ୍ରଥମ ୪ ସପ୍ତାହ ଅର୍ଥାତ ଆଗାମୀ ୪ ଶନିବାର ବସ୍‌ କର୍ମଚାରୀଙ୍କୁ ତାଲିମ୍‌ ପ୍ରଦାନ କରାଯିବ। ବସ୍‌ ମାଲିକଙ୍କ ନେତୃତ୍ବରେ ପରିବହନ ଅଧିକାରୀ ଓ ଅଗ୍ନିଶମ ଅଧିକାରୀ ଉପସ୍ଥିତ ରହି ବସ୍‌ଷ୍ଟାଣ୍ଡରେ ବସ୍‌ କର୍ମଚାରୀଙ୍କୁ ତାଲିମ ଦେବେ। ସେହିପରି ପ୍ରତି ୩ ମାସରେ ଥରେ ବସ୍‌ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ। ନିୟମ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇଦିଆଯାଇଛି। ସରକାରୀ ବସ୍‌ଗୁଡ଼ିକରେ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି। ଏହାଛଡ଼ା ବସ୍ ତିଆରି କରୁଥିବା ସଂସ୍ଥା ଗୁଡ଼ିକ ମଧ୍ୟ ଅଗ୍ନି ନିରାପତ୍ତାକୁ ଗମ୍ଭୀରତା ସହ ନେବାକୁ କୁହାଯାଇଛି। ଆଜିର ବୈଠକରେ ବିଭିନ୍ନ ଆର୍‌ଟିଓ ଅଧିକାରୀ ଓ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।