ବାଲେଶ୍ବର: ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାଲୁଥିବା ବିଲ୍ଡିଂ ସମେତ ଏହା ପରିସରରେ ଥିବା ଅନ୍ୟ ସମସ୍ତ ସରକାରୀ ବିଲ୍ଡିଂ ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଚାଲିଛି। ଖାଲି ଏତିକି ନୁହେଁ ଏହି ବିଲ୍ଡିଂଗୁଡ଼ିକରେ ନା ଅଛି ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା ନା ଏଠାକାର କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ର ଚଳାଇବା ଜଣାଅଛି। ଆଜି ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ବିସ୍ତୃତ ବିବରଣୀ ଜିଲ୍ଲାପାଳଙ୍କ ସମେତ ଅଗ୍ନିଶମ ଡିଜିଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାର ସବୁଠୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଏଭଳି ଅବ୍ୟବସ୍ଥା ସମସ୍ତଙ୍କୁ ଚକିତ କରିଛି।
ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହେଉଛି ବ୍ରିଟିସ ସମୟର ପୁରାତନ ବିଲ୍ଡିଂ ଅର୍ଥାତ୍ ଶତାଧିକ ବର୍ଷ ପୂର୍ବରୁ ଏହାର ନିର୍ମାଣ ହୋଇଛି। ଏବେ ଏହା ଜିଲ୍ଲାର ପ୍ରାଶାସନିକ ବିଲ୍ଡିଂ ଭାବେ କାର୍ଯ୍ୟକାରୀ ହେଉଛି। ଏହା ଭିତରେ ନିଜାରତ ସେକ୍ସନ, ରେଭିନ୍ୟୁ ସେକ୍ସନ, ଡେପୁଟି କଲେକ୍ଟର ଅଫିସ, ଏଷ୍ଟାବ୍ଲିସମେଣ୍ଟ ସେକ୍ସନ, ତଉଜି ସେକ୍ସନ, ଆରଟିଆଇ ସେକ୍ସନ, ଏଡିଏମ୍ ଅଫିସ୍, ଡିଷ୍ଟ୍ରିକ୍ଟ ରେକର୍ଡ ରୁମ୍, ଜେନେରାଲ ମିସ୍ଲେନିୟସ୍ ଆଣ୍ଡ ଜୁଡିସିଆଲ ସେକ୍ସନ, ଜିଲ୍ଲାପାଳଙ୍କ ଚାମ୍ବର, ଓସ୍ୱାନ୍ ହଲ, ଏଚ୍ଆର୍ଏମ୍ଏସ୍ ସେକ୍ସନ ରହିଛି। ଏହାବାଦ୍ ଏଠାରେ ଥିବା ଅନ୍ୟ ବିଲ୍ଡିଂ ଗୁଡ଼ିକରେ ଜିଲ୍ଲା ଜରୁରୀ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ, ପରିବାର ଅଦାଲତ, ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ, ଏନ୍ଆଇସି କାର୍ଯ୍ୟାଳୟ, ଇଭିଏମ୍ ଷ୍ଟ୍ରଙ୍ଗ୍ ରୁମ୍, ଡିସିପିୟୁ ଅଫିସ୍, ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ, ଏନ୍ଡିଆରଏଫ୍ ବିଲ୍ଡିଂ, ଜିଲ୍ଲା କୋଷାଗାର, ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ, ଜିଲ୍ଲା ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ଆଦି ଚାଲିଛି। ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ, କାଗଜପତ୍ର, କମ୍ପୁଟର ସିଷ୍ଟମ, ଟ୍ରେଜେରି ଏଠାରେ ରହିଛି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଶତାଧିକ ସରକାରୀ ଅଧିକାରୀ ଓ କର୍ମଚାରୀ ଏହି ସବୁ ବିଲ୍ଡିଂରେ ବସୁଥିବା ବେଳେ ଅଗ୍ନି ନିରାପତ୍ତା ପ୍ରତି ଆଜିଯାଏ କାହିଁକି ଦୃଷ୍ଟି ଦିଆ ଯାଇନାହିଁ ତାହା ପ୍ରଶ୍ନବାଚୀ।
ସୂଚନା ଥାଉକି, ବର୍ଷେ ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ହଠାତ୍ ନିଆଁ ଲାଗି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଫାଇଲ ସମେତ କମ୍ପ୍ୟୁଟର ସିଷ୍ଟମ ପୋଡ଼ି ପାଉଁଶ ହୋଇଗଲା। ସେଠାରେ ବି ଏହି ସମାନ ସମସ୍ୟା ଦେଖାଯାଇଥିଲା। ଉକ୍ତ ବିଲ୍ଡିଂରେ ଆଦୌ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ବେଳେ କାର୍ଯ୍ୟାଳୟର କୌଣସି କର୍ମଚାରୀ ଅଗ୍ନି ନିର୍ବାପକ ଯନ୍ତ୍ର ଚଳାଇବା ଜାଣିନଥିଲେ। ଫଳରେ ଏଭଳି ଦଶା ଭୋଗିବାକୁ ପଡ଼ିଥିଲା। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏବେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରତିଦିନ ସହରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ସମେତ, ହସ୍ପିଟାଲ, ଶିଳ୍ପସଂସ୍ଥା, ହୋଟେଲ, ସୋରୁମ୍, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଆଦି ଚାଲିଥିବା ବିଲ୍ଡିଂରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ୍ ଚାଲିଥିବା ବେଳେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଲ୍ଡିଂ ସମେତ ଏହା ଚାରିପାଖରେ ଥିବା ସମସ୍ତ କାର୍ଯ୍ୟାଳୟ ବିଲ୍ଡିଂରେ ଯାଞ୍ଚ୍ କରାଯାଇଥିଲା। ଯାଞ୍ଚ୍ ଟିମ୍ରେ ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାର ପରାନ୍ ସୋରେନ୍ ଏବଂ ତାଙ୍କ ଟିମ୍ ସାମିଲ ଥିଲେ।