ରୋଷେଇ ବେଳେ ଗ୍ୟାସଲିକ୍ ହେବାରୁ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୯ବଖରା ଘର

ଚାନ୍ଦବାଲି : ଚାନ୍ଦବାଲି ସହର ମଧ୍ୟରେ ସିନେମା ବଜାର ବସ୍ତିରେ ଗତକାଲି ଦ୍ବିପହରରେ ଅଗ୍ନିକାଣ୍ଡ ଘଟି ୭ପରିବାରର ୯ବଖରା ଘର ସମେତ ଦୁଇଟି କ୍ୟାବିନ ପୁରା ପୋଡ଼ିଯାଇଛି। ତେବେ ବଜାର ମଧ୍ୟରେ ଦୈନିନ୍ଦିନ କାର୍ଯ୍ୟ କରି ପରିବାର ଚଳାଉଥିବା ଲୋକମାନେ ଏହି ବସ୍ତିରେ ଘର କରି ରହିଥିବା ବେଳେ ଦୁଇଟି କ୍ୟାବିନରେ ସାମଗ୍ରୀ ଭର୍ତ୍ତି ହୋଇ ରହିଥିଲା । ଆଜି ଗୀତା ଦାସ ନାମକ ଜଣେ ଶ୍ରମଜୀବୀ ମହିଳା ନିଜ ଘରେ ଗ୍ୟାସଚୁଲାରେ ରୋଷେଇ କରୁଥିବା ବେଳେ ଗ୍ୟାସଲିକ ହୋଇ ଭୟବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଯିବାରୁ ନିଆଁ ଅଣାୟତ୍ତ ହୋଇଥିଲା । ଫଳରେ ନିଆଁ ଲିଭାଇବାକୁ ଲୋକେ ସାହସ ଜୁଟାଇ ପାରି ନଥିଲେ ।

ସଙ୍ଗେ ସଙ୍ଗେ ପାଖ ଘରକୁ ବ୍ୟାପିଯାଇ ସୂରଗ ଅଲ୍ଲି, ସେକ ହାଦତ ଅଲ୍ଲି, ମେହେବୁବ୍ ଖାନ,ସେକ୍ ୟାକୁବ୍, ସେକ, ଇସଲାମ, ସୂଜତ ଅଲ୍ଲି ପ୍ରମୁଖଙ୍କ ଘର ଭଷ୍ମ ହୋଇଯାଇଥିବା ବେଳେ ଘରେ ଥିବା ଲୁଗାପଟା, ଚାଉଳ ଟଙ୍କା ପଇସା,ବାସନ କୁସନ ସମସ୍ତ ପୋଡ଼ି ପାଉଁଶ ହୋଇଯାଇଥିଲା । ପିନ୍ଧାଲୁଗା ଛାଡ଼ି ଦେଲେ ଅଗ୍ନିମୁହଁରୁ ଅନ୍ୟ କୈାଣସି ଜିନିଷ ପତ୍ର ଆୟତ୍ତ କରିପାରି ନଥିଲେ । ତେବେ ଘର ନିକଟରେ ଥିବା ଉପେନ୍ଦ୍ର ପ୍ରଧାନ, ଦୈତ୍ୟାରୀ ସାହୁଙ୍କ ଦୁଇଟି କ୍ୟାବିନ୍ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ତେବେ ଲକଡ଼ାଉନ ଥିବା ବେଳେ ବସ୍ତିବାସିନ୍ଦା ଦୁଃଖ କଷ୍ଟରେ ଥିବା ବେଳେ ପୁଣି ଏକ ବଡ଼ ଦୁଃଖ ୭ଗୋଟି ପରିବାରଙ୍କ ମେରଦଣ୍ଡା ଦୋହଲାଇ ଦେଇଛି ।

ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଦମକଳ ବିଭାଗର ଦୁଇଟି ଗାଡ଼ି ନିୟୋଜିତ କରିଥିଲା । ନିଆଁକୁ ଆୟତ୍ତକୁ ଆଣିଥିଲା, ହେଲେ କୈାଣସି ଜିନିଷ ଉଦ୍ଧାର ହୋଇପାରି ନାହିଁ । ଘଟଣାସ୍ଥଳରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତି, ଆଡ଼ିସନାଲ ତହସିଲଦାର ପ୍ରଶାନ୍ତ ମହାରଣା ଓ ତହସିଲ କର୍ମଚାରୀ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ବିପନ୍ନ ପରିବାରଙ୍କୁ ପଲିଥିନ ଯୋଗାଇ ଦିଆଯାଇଥିବା ବେଳେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର