ଶିମିଳିପାଳର ୯୫ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିଆଁ ନିୟନ୍ତ୍ରଣକୁ ଆସିଛି : ଟାସ୍କଫୋର୍ସ ଅଧ୍ୟକ୍ଷ

ନିଆଁ ଲାଗିଥିବା ୬୨୫୮ ଫାୟାର ପଏଣ୍ଟରୁ ୩୨୫୮କୁ ହ୍ରାସ ପାଇଛି

ଭୁବନେଶ୍ବର: ପ୍ରଚଳିତ ବନାଗ୍ନିକ ପ୍ରତିହତ ଓ ପ୍ରଶମିତ କରିବା ନିମନ୍ତେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ଷେତ୍ର କର୍ମଚାରୀ ଓ ଡଡ୍ରାଫ୍ ଟିମର ସମୟପଯୋଗୀ  ପ୍ରଚେଷ୍ଟା ଫଳରେ ବିଗତ ଦୁଇ ଦିନରେ ଶିମିଳିପାଳ ଅଞ୍ଚଳରେ ଫାୟାର ପଏଣ୍ଟର ସଂଖ୍ୟା ହ୍ରାସ ଘଟିଛି। ଗତ ୭ ତାରିଖରେ ୬୨୫୮ ଫାୟାର ପଏଣ୍ଟ ଥିବା ବେଳେ ଏହା  ୮ ତାରିଖରେ ୩୨୫୮କୁ ହ୍ରାସ ପାଇଛି।  ବିଗତ ୨୪ ଘଣ୍ଟା ଅବଧିରେ ଶତକଡା ୯୫ରୁ ଅଧିକ ଫାୟାର ପଏଣ୍ଟରେ ବନାଗ୍ନିକୁ ନିର୍ବାପିତ କରାଯାଇଛି ବୋଲି କହିଛନ୍ତି ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇ ଓଡ୍ରାଫ୍ ଦଳଙ୍କୁ ରାଜ୍ୟସାରା ବନାଗ୍ନିର ପ୍ରଶମନ ନିମନ୍ତେ ସହାୟତା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ଓ ଏହି ଦଳ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପହଂଚି ଯାଇଛନ୍ତି। ରାଜ୍ୟ ସରକାର ଜନସାଧାରଣଙ୍କୁ ବନ ବିଭାଗ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ବନାଗ୍ନି ନିର୍ବାପନ କାର୍ଯ୍ୟରେ ସହଯୋଗ ପ୍ରଦାନ ନିମନ୍ତେ ନିବେଦନ କରୁଛି ବୋଲି କହିଛନ୍ତି ଶ୍ରୀ ତିପାଠୀ।

ଟାସ୍କ ଫୋର୍ସ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ସହ ବନାଗ୍ନି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମ୍ପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା କର୍ମଚାରୀଙ୍କୁ ବନାଗ୍ନିର ବିସ୍ତାରକୁ ରୋକିବା ଓ ନିର୍ବାପନ ନିମନ୍ତେ ସମସ୍ତ ଉଦ୍ୟମ ଜାରି ରଖିବାକୁ ତଥା ରାତ୍ରୀକାଳୀନ ପେଟ୍ରୋଲିଂକୁ ତୀବ୍ରତର କରିବା ସହ ଯଥାଶୀଘ୍ର ସମ୍ଭବ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା ଗୁଡିକୁ ତଦାରଖ କରି ପାହାଡ ଅଂଚଳର ବନାଗ୍ନିକୁ ପ୍ରାଥମିକତା ପ୍ରଦାନ କରି ବିହୀତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହାଛଡା ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ନିମନ୍ତେ ପିଆରଆଇ ଅନୁଷ୍ଠାନର ସ୍ଥାନୀୟ ଭିଏସ୍‌ଏସ୍‌/ଇଡିସି ଗୁଡିକୁ ଏହି କାର୍ଯ୍ୟରେ ଜଡିତ କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏହାଛଡା ସାମ୍ପ୍ରତିକ ବନାଗ୍ନି ପରିସ୍ଥିତିକୁ ଅଧିକ ପ୍ରଭାବଶାଳୀଭାବେ ମୁକାବିଲା ତଥା ଫଳପ୍ରସୁ କରିବା ପାଇଁ ଅଧିକ ଲୋକ ଓ ଯାନ୍ତ୍ରିକ ବଳ ନିୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସାରା ଅଧିକ ୧୦୦ ଗୋଟି ଦଳକୁ ସ୍ଥାନ ବିଶେଷରେ ଆବଶ୍ୟକତା ଅନୁସାରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଏହା ସହ ଅଧିକ ୭୦୦ ଗୋଟି ବ୍ଲୋୟର ବନାଗ୍ନି ନିର୍ବାପନ କାର୍ଯ୍ୟରେ ଯଥାଶୀଘ୍ର ଲଗାଇବାର ବ୍ୟବସ୍ଥା କରାଯାଉଛି।

ଏହାଛଡା ଜଙ୍ଗଲ ସଂଲଗ୍ନରେ ଥିବା ୩୦୦୦ ଗ୍ରାମକୁ ବନାଗ୍ନି ପ୍ରଶମନ ଓ ପ୍ରତିହତରେ ସହାୟତା ନିମନ୍ତେ ପ୍ରୋତ୍ସାହନ ଦେବାରେ ବ୍ୟବସ୍ଥା କରାଯାଉଛି। ଏଥି ସହିତ ପିଆରଆଇ ସଂସ୍ଥାନ ଗୁଡିକର ଲୋକ ବଳକୁ ଜଙ୍ଗଲ ସଂଲଗ୍ନ ଗ୍ରାମବାସୀମାନଙ୍କୁ ବନାଗ୍ନିର ଭୟାବହତା ଓ ବିନାଶ ପ୍ରତି ସଚେତନ କରିବା ସହ ବନାଗ୍ନି ନିର୍ବାପନ କାର୍ଯ୍ୟ ପ୍ରତି ସମ୍ବେଦନଶୀଳ କରିବା ନିମନ୍ତେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରାଯାଇଛି।

ବିଭିନ୍ନ ଇଲାକାରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ସ୍ଥାନୀୟ କୃଷି ଅଧିକାରୀଙ୍କ ସହାୟତାରେ ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡିକରେ କୃଷି ବର୍ଜ୍ୟବସ୍ତୁର ଅବହେଳିତ ଦହନର ନିରାକରଣ ନିମନ୍ତେ ପଦକ୍ଷେପ ନେବା ସହ ଆବଶ୍ୟକତାସ୍ଥଳେ ପାଣିଟାଙ୍କିର ବ୍ୟବହାର କରି ବନାଗ୍ନିକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର