ରାତି ଅଧ ଯାଏ ଢୋ…ଢା କଟକଣା କାହା ପାଇଁ?

କାର୍ଯ୍ୟାନୁଷ୍ଠାନ ଶୂନ, ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ

ଭୁବନେଶ୍ବର: ଦଶହରାରେ ପରିବେଶ ପ୍ରଦୂଷିତ ହୋଇଥିଲା। ମା’ଙ୍କ ମୃଣ୍ମୟ ମୂର୍ତ୍ତି ବିସର୍ଜନ ପାଇଁ ନଦୀକୁ ଲାଗି କୃତ୍ରିମ ପୋଖରୀରେ କେହି ବିସର୍ଜନ କଲେନି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଟକଣାକୁ ଖାତିର୍‌ ନ କରି କିଏ ପୋଖରୀରେ ତ ଆଉ କିଏ ସିଧାସଳଖ ନଦୀ ଜଳରେ ପକାଇଲେ। ଭସାଣିରେ ଉଚ୍ଚ ଶବ୍ଦରେ ଡିଜେ ବାୟୁ ପ୍ରଦୂଷଣ କଲା। ତେଣୁ ଦୀପାବଳି ପୂର୍ବରୁ ଏସ୍‌ପିସିବି ଦିନେ ଛଡ଼ା ଦିନେ ସଚେତନତା ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରାଇଲା। ରାତି ୧୦ଟା ପରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଲା। ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମା ମଧ୍ୟରେ ଉଚ୍ଚଶବ୍ଦଯୁକ୍ତ ବାଣ ଫୁଟାଇବାକୁ ମଧ୍ୟ ନିଷିଦ୍ଧ କରାଯାଇଥିଲା। ମାତ୍ର ଏହାକୁ କେହି ମାନିଲେନି। ବେଧଡ଼କ ଦିନରାତି ବାଣଫୁଟା ହେଲା ଓ ପରିବେଶ ଦୂଷିତ ହେଲା। ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ଯଦି କଟକଣା ପାଳନ ହେଉନାହିଁ, ତେବେ କାହା ପାଇଁ ଓ କାହିଁକି ଲଗା ଯାଉଛି। କଟକଣାକୁ କଡ଼ାକଡ଼ି କରାଇବା ପୁଲିସ୍‌ର କାମ ବୋଲି କହି ଏସ୍‌ପିସିବି କାନ୍ଧରୁ ଦୋଷ ଖସାଇ ଦେଉଥିବା ବେଳେ ପୁଲିସ୍‌ ବି ଏଥିରେ ମୁଣ୍ଡ ଖେଳାଇବାକୁ ଚାହୁନାହିଁ। ତେଣୁ ଏନେଇ ନା ଥାନାରେ ଗୋଟିଏ ହେଲେ ଅଭିଯୋଗ ହୋଇଛି, ନା ପୁଲିସ୍‌ ନିଜ ଆଡ଼ୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯଦିଓ ରାତି ୧୨ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଫୁଟିଛି।

ହସ୍ପିଟାଲ ନିକଟରେ, ମନ୍ଦିର ଭିତରେ ବି ବାଣ ଫୁଟିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ନା ଏସ୍‌ପିସିବି କଟକଣାର କେହି ତଦାରଖ କଲେ। ନା ପୁଲିସ ନଜର ରଖିଲା। ବରଂ ନିଜ ନିଜ ମର୍ଜିରେ ବାଣ ଫୁଟାଇ ପରିବେଶକୁ ପ୍ରଦୂଷିତ ‌କରିଛନ୍ତି। ଦିଲ୍ଲୀ ପରି ସ୍ଥିତି ଓଡ଼ିଶାର କୌଣସି ସହରରେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ହୋଇ ନଥିଲେ ମଧ୍ୟ ଗତକାଲି ଓଡ଼ିଶାର କିଛି ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ମଧ୍ୟମଧରଣର ପ୍ରଦୂଷିତ ହୋଇଥିଲା। ବର୍ଷର ଅନ୍ୟାନ୍ୟ ସମୟରେ ଭୁବନେଶ୍ବର ଓ କଟକ ସହର ଏକ୍ୟୁଆଇ ସନ୍ତୋଷଜନକ ରହୁଥିବା ବେଳେ ଗତକାଲି ରାତିରେ ବଢ଼ି ଯାଇଥିଲା। ଆଜି କଟକ, ଭୁବନେଶ୍ବର, ସମ୍ବଲପୁର, ତାଳଚେର ସହରର ଏକ୍ୟୁଆଇ ଚଳିତବର୍ଷର ଶୀର୍ଷରେ ପହଞ୍ଚିଥିଲା। ଏହି ୪ଟି ଯାକ ସହରରେ ଏକ୍ୟୁଆଇ ୧୦୦ ଉପରେ ରହିଥିବା ନେଇ ‘ଆଇକ୍ୟୁଏୟାର’ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଓଡ଼ିଶାରେ ଏସ୍‌ପିସିବିର କଟକଣାକୁ କେହି ମାନି ନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଶୂନ ରହିଛି। ଉଚ୍ଚଶବ୍ଦ ସୃଷ୍ଟି କରୁଥିବା ଆତସବାଜିର ବ୍ୟବହାର ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନିଷିଦ୍ଧ ହୋଇଥିଲା। କେବଳ ଖୋଲା ସ୍ଥାନରେ ବାଣ ଫୁଟାଇବାକୁ କୁହାଯାଇଥିଲା। ୧୨୫ ଡେସିବେଲ୍‌ସ୍ତରରୁ ଊର୍ଦ୍ଧ୍ବ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହୋଇଥିଲେ ମଧ୍ୟ ପାଳନ କରାଯାଇ ନାହିଁ। କେଉଁଠି ନିର୍ଦ୍ଧାରିତ ଡେସିବେଲ୍‌ସ୍ତରରୁ ଅଧିକ ଶବ୍ଦର ବାଣ ଫୁଟିଛି। ତ ଆଉ କେଉଁଠି ରାତି ୧୨ଟା ଯାଏ ବି ଢୋ ଢା ଶବ୍ଦରେ ପ୍ରକମ୍ପିତ ହୋଇଥିଲା। ଗଳିକନ୍ଦିଠାରୁ ଗାଁ ପର୍ଯ୍ୟନ୍ତ, ସବୁଠି କଟକଣା ବିହୀନ ଦୀପାବଳି ପାଳନ ହୋଇଛି। ନିୟମରେ କୌଣସି ପ୍ରକାର ଖିଲାପ ହେଲେ ଓଡ଼ିଶା ଆଇନ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏ ସମ୍ପର୍କରେ ଯେକୌଣସି ଅଭିଯୋଗ ସମ୍ପୃକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନିକଟରେ କରାଯାଇପାରିବ ବୋଲି ଏସ୍‌ପିସିବି ପକ୍ଷରୁ କୁହାଯାଇଥିଲା।

ଏସ୍‌ପିସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା। ଏନେଇ ସଚେତନତା ବାର୍ତା ମଧ୍ୟ ପ୍ରକାଶ ପାଇଥିଲା। ତା’ପରେ ମଧ୍ୟ କେହି ଯଦି ନ ମାନିବେ ଆମେ କିଛି କରିପାରିବୁ ନା‌ହିଁ। ଗୋଟିଏ ସଂସ୍ଥା କି କମ୍ପାନି ପ୍ରଦୂଷଣ କରୁ ନାହାନ୍ତି ‌ଯେ ଆମେ ଚଢ଼ାଉ କରି ଫାଇନ୍‌ କାଟିବୁ। ହଜାର ହଜାର ଲୋକ ଯଦି କଟକଣା ନ ମାନିବେ ଆମେ କେଉଁଭଳି କାର୍ଯ୍ୟାନୁଷ୍ଠାନ ନେବୁ। ମିଳିଥିବା ସୂଚନା ଅନୁଯାୟୀ ନିୟମ ବାହାରେ ବାଣ ଫୁଟା ହେବା ନେଇ ପୁଲିସ ନିକଟରେ କୌଣସି ପ୍ରକାର ଅଭିଯୋଗ ହୋଇ ନାହିଁ। ବାୟୁ ଗୁଣବତ୍ତା ସୂଚକାଙ୍କ ୦-୫୦ ମଧ୍ୟ‌ରେ ରହିଲେ, ବାୟୁମଣ୍ଡଳ ଭଲ ସ୍ଥିତିରେ ଥିବା ନେଇ ଜଣାପଡ଼େ। ସେହିପରି ୫୧ରୁ ୧୦୦ ମଧ୍ୟ‌ରେ ରହିଲେ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟରେ ରହିଲେ ମଧ୍ୟମ ପ୍ରଦୂଷିତ, ୨୦୧-୩୦୦ ମଧ୍ୟରେ ରହିଲେ ଖରାପ, ୩୦୧-୪୦୦ ମଧ୍ୟରେ ରହିଲେ ଅଧିକ ଖରାପ, ୪୦୧-୫୦୦ ମଧ୍ୟରେ ରହିଲେ ଭୟଙ୍କର ବୋଲି ଗଣନା କରାଯାଇଥାଏ। କୋଭିଡ୍‌ ଯୋଗୁଁ ଗତ ଦୁଇବର୍ଷ ହେଲା ବାଣ ଫୁଟି ନ ଥିଲା କି ପରିବେଶ ପ୍ରଦୂଷିତ ହୋଇ ନଥିଲା। କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟାନ୍ୟ ସହରରେ ବି ଦୀପାବଳିରେ ବାୟୁର ଗୁଣବତ୍ତା ଠିକ୍‌ଠାକ୍‌ ଥିଲା। ମାତ୍ର ଏଥର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତକାଲି ବାଣ ଫୁଟିବା ପରେ ଦିଲ୍ଲୀର ଏକ୍ୟୁଆଇ ୩୧୨ରେ ପହଞ୍ଚିଥିବା ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ନିଜ ରିପୋର୍ଟରେ ଦର୍ଶାଇଛି।

ସମ୍ବନ୍ଧିତ ଖବର