ବାଣ ଭିଡ଼ିବା ବେଳେ ବିସ୍ଫୋରଣ : ଅଜା ମୃତ, ନାତି ଗୁରୁତର

କିଶନନଗର : କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ରଟିଲୋ ବୋଇଲୋ ଗ୍ରାମରେ ଆଜି ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ବୃଦ୍ଧ ପ୍ରାଣ ହରାଇଥିବା ବେଳେ ତାଙ୍କ ୫ ବର୍ଷର ନାତି ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଗ୍ରାମର ଦେବେନ୍ଦ୍ର ସାମଲ(୬୫)। ଗୁରୁତର ଆହତ ଶିଶୁପୁତ୍ର ସମ୍ବିତ(୫) ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

ଆଜି ସକାଳ ପ୍ରାୟ ୯ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ଦେବେନ୍ଦ୍ର ଚାଳିଘର ବାରଣ୍ଡାରେ ବସି ବାଣ ଭିଡ଼ୁଥିଲା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଦେବେନ୍ଦ୍ରଙ୍କ ବାମ ହାତ କହୁଣୀ ନିକଟରୁ ଛିଡ଼ି ଯାଇଥିଲା ବେଳେ ଡାହାଣ ହାତର ଆଙ୍ଗୁଠି ଗୁଡ଼ିକ ଉଡ଼ି ଯାଇଥିଲା। ବିସ୍ଫୋରଣରେ ଘର ଚାଳ ଛପର ମଧ୍ୟ ଉଡ଼ିଯିବା ସହ କାନ୍ଥରୁ ଛେଲାଛେଲା ମାଟି ଖସି ପଡ଼ିଥିଲା। ଏତିକି ବେଳେ ୫/୭ ଫୁଟ ଦୂରରେ ଖେଳୁଥିବା ଦେବେନ୍ଦ୍ରଙ୍କ ନାତି ସମ୍ବିତର ମୁହଁ, ଛାତି, ଆଖି ଆଦି ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ସମ୍ବିତକୁ ବାଇକ୍‌ରେ ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ, ଦେବେନ୍ଦ୍ରଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆହତ ଶିଶୁପୁତ୍ର ସମ୍ବିତର ୪୦ ଭାଗ ଶରୀର ପୋଡ଼ି ଯାଇଥିବା ସୂଚନା ମିଳିଛି।

ଏ ସମ୍ପର୍କରେ ଖବର ପାଇ କିଶନନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ନାତି ସମ୍ବିତ ଏକ ଅଫୁଟା ସୁତୁଲି ବୋମା ପାଇ ଘରକୁ ଆଣିଥିଲେ। ସେଥିରୁ ବାରୁଦ କାଢ଼ି ବାଣ ଭିଡ଼ୁ ଥିବା ବେଳେ ଏହି ଅଘଟଣ ଘଟିଥିଲା ବୋଲି ପରିବାର ଲୋକେ କହିଛନ୍ତି। ଗତକାଲି ଜଗତପୁର ଅଞ୍ଚଳରେ ବେଆଇନ ବାଣ କାରବାର ଉପରେ ପୁଲିସ ଚଢଉ କରି ୩ ଜଣଙ୍କୁ ଗିରଫ କରିବା ଏବଂ ବିଭିନ୍ନ ସାମଗ୍ରୀ ଜବତ କରିବାର ଦିନକ ପରେ ଏଭଳି ଏକ ଘଟଣା ବିଭିନ୍ନ ମହଲରେ ଉଦବେଗର କାରଣ ହୋଇଛି।

ସମ୍ବନ୍ଧିତ ଖବର