ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶବ୍ଦ ପ୍ରଦୂଷଣ ଉପରେ କଟକଣା : ରାତି ୧୦ଟା ପରେ ବାଜା, ବାଣ ମନା

ଭୁବବନେଶ୍ବର : ପର୍ବପର୍ବାଣି ଓ ଦୀପାବଳିକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶବ୍ଦ ପ୍ରଦୂଷଣ ଉପରେ କଟକଣା ଜାରି କରାଯାଇଛି। ପାର୍ବଣ ସମୟରେ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା‌ ଡାକବାଜି ଯନ୍ତ୍ର, ସଙ୍ଗୀତ ଯନ୍ତ୍ର କିମ୍ବା ଆମ୍ପ୍ଲିଫାୟାର ବ୍ୟବହାର ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ। ଉଚ୍ଚ ଶବ୍ଦ ଉତ୍ପନ୍ନ କରୁଥିବା ଆତସବାଜି ବ୍ୟବହାର ଯୋଗୁଁ ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଭଳି ସମସ୍ୟା ହୋଇଥାଏ। ଏଥିରୁ ବାହାରୁଥିବା ବିଷାକ୍ତ ଗ୍ୟାସ, ଧୂଳିକଣା ଓ ଶବ୍ଦ ଯୋଗୁଁ ଶିଶୁ, ବୃଦ୍ଧ, ଅସୁସ୍ଥ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥାଏ। ତେଣୁ ଡାକବାଜି ଯନ୍ତ୍ର ଓ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଯନ୍ତ୍ରାଂଶର ବ୍ୟବହାର ଉପରେ କଟକଣା ଜାରି ହୋଇଛି।

ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ଓ ପରିବେଶକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ଓ ଦୀପାବଳି ଉତ୍ସବରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର କିମ୍ବା ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ସଙ୍ଗୀତ ଯନ୍ତ୍ରାଂଶ, ଶବ୍ଦ ବର୍ଦ୍ଧକ ବ୍ୟବହାର, ଉଚ୍ଚ ଶଦ୍ଦ ସୃଷ୍ଟି କରୁଥିବା ଆତସବାଜି ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ସରକାରଙ୍କ ଦ୍ବାରା ଘୋଷିତ ନିରବ ଅଞ୍ଚଳ ଯଥା ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ ଆଦିର ୧୦୦ ମିଟର ପରିସୀମା ମଧ୍ୟରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ନିଷିଦ୍ଧ। କେବଳ ଖୋଲା ସ୍ଥାନରେ ବାଣ ଫୁଟାଯାଇପାରିବ। ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହୋଇଛି। ଉପରୋକ୍ତ ନିୟମର ଖିଲାପ ହେଲେ ଓଡ଼ିଶା ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରାବଧାନ ଆଇନ ୧୯୫୮ ଓ ଶବ୍ଦ ପ୍ରଦୂଷଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡନୀୟ। ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନିକଟରେ ଯେକୌଣସି ଅଭିଯୋଗ କରାଯାଇପାରିବ। ଦୀପାବଳି ଉତ୍ସବକୁ ପ୍ରଦୂଷଣମୁକ୍ତ ତଥା ସୁରକ୍ଷିତ ଭାବେ ପାଳନ କରିବାକୁ ବୋର୍ଡର ସଦସ୍ୟ ସଚିବ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର