ଟ୍ରେନ୍‌ରେ ବାଣ ପରିବହନ ମନା

ଭୁବନେଶ୍ୱର : ଦୀପାବଳିକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି। ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରାସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରିବାକୁ ବାରଣ କରାଯାଇଛି। ରେଳବାଇ ଅଧିନିୟମ-୧୯୮୯ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ଅଟେ। ଅପରାଧୀଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରେ। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ନିଜେ ଏଭଳି ସାମଗ୍ରୀ ପରିବହନ ନ କରିବା ସହ ସହଯାତ୍ରୀଙ୍କୁ ମଧ୍ୟ ବାରଣ କରିବାକୁ କୁହାଯାଇଛି।

ମେଲ/ଏକ୍ସପ୍ରେସ ଟ୍ରେନରେ ଫଟକା ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ସମସ୍ତ ୩ଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧାରୋଡ୍, ସମ୍ବଲପୁର ଓ ୱାଲ୍ଟେୟାର୍‌କୁ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛି। ଯଦି କୌଣସି ଯାତ୍ରୀ ଜ୍ୱଳନ୍ତ ସାମଗ୍ରୀ ନେଉଥିବାର ଦେଖାଯାଏ, ତେବେ ଟ୍ରେନ୍‌ଯାତ୍ରୀଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସହଯାତ୍ରୀମାନଙ୍କୁ ରେଳ ସୁରକ୍ଷା ବଳ(ଆରପିଏଫ) ଓ ସରକାରୀ ରେଳ ପୁଲିସ(ଜିଆରପି) କର୍ମକର୍ତ୍ତା, ଟିଟିଇ, କୋଚ ଆଟେଣ୍ଡାଣ୍ଟ, ଷ୍ଟେସନ୍‌ ପରିଚାଳକ, ଟ୍ରେନର ଗାର୍ଡମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପଲାଇନ୍ ନମ୍ବର ୧୩୯ ଜାରି ହୋଇଛି। ଏହାବ୍ୟତୀତ ଷ୍ଟେସନ୍‌ରେ ସର୍ବସାଧାରଣ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀଙ୍କୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ମଧ୍ୟ ଚାଲିଛି। ଏହାବ୍ୟତୀତ ଟ୍ରେନ୍ ଓ ଷ୍ଟେସନ୍‌ରେ ଜ୍ୱଳନ୍ତ ସାମଗ୍ରୀ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଟ୍ରେନ୍ ଏସ୍‌କର୍ଟିଂ ଟିମ୍‌ ଓ ମେରୀ ସହେଲୀ ଦଳଗୁଡ଼ିକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଷ୍ଟେସନ୍, ଗୁଡ୍ ସେଡ୍, ଗାର୍ଡ ତଥା ଗାର୍ଡର ବ୍ରେକ୍ ଭ୍ୟାନ୍‌ରୁ ଓ ଏସି କୋଚ୍, ପାଣ୍ଟ୍ରି କାର୍ ଏବଂ ଲୋକୋମୋଟିଭ୍‌‌‌ରେ ପୃଥକ ଅଗ୍ନି ନିର୍ବାପକ ଯନ୍ତ୍ର ଓ ଉପକରଣ ଯୋଗାଇ ଦିଆଯାଉଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର