ନାଳରେ ଗଳିପଡ଼ିଲା ହରିଣ ଛୁଆ : ବନ କର୍ମଚାରୀ, ଆଗ୍ନିକ ନାକେଦମ୍‌

ପୁରୀ : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରୁ ପିକେଆରଆଇଟି ଛକକୁ ଚାଲି ଆସିଥିବା ଏକ ହରିଣ ଛୁଆ ପାଇଁ ଆଜି ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି।

ବନ ବିଭାଗ ସୂଚନା ମୁତାବକ, ଅଧିକାଂଶ ସମୟ ବାଲୁଖଣ୍ଡ ଅଭୟାରଣ୍ୟରୁ ହରିଣପଲ ଚରିବାକୁ ବ୍ୟାଙ୍କ କଲୋନି, ଭୂଦାନ, ପିକେଆରଆଇଟି ଅଞ୍ଚଳକୁ ରାତିଅଧିଆ ଆସନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ହରିଣ ପଲ ପିକେଆରଆଇଟି ଛକକୁ ଚାଲି ଆସିଥିଲେ। ଏହି ପଲରେ ଥିବା ବର୍ଷକର ଏକ ହରିଣ ଛୁଆ ଏନ୍‌ସିସି ଷଷ୍ଠ ବାଟାଲିଆନ୍ ନିକଟ ନାଳରେ ଗଳି ପଡ଼ିଥିଲା।

ସ୍ଥାନୀୟ ଲୋକେ ଆଜି ନାଳ ଭିତରେ ହରିଣ ଛୁଆକୁ ଦେଖି ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସକାଳ ୮ଟାରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀ ଓ ବନ ବିଭାଗ କର୍ମଚାରୀମାନେ ହରିଣ ଛୁଆକୁ କାବୁ କରିବା ପାଇଁ ଧାଁଧପଡ଼ କରିଥିଲେ। ଷଷ୍ଠ ବାଟାଲିଆନ୍ ସମ୍ମୁଖ ନାଳ ଦେଇ ପିକେଆରଆଇଟି ଛକ, ତାଳବଣିଆ ଛକ ପର୍ଯ୍ୟନ୍ତ ହରିଣ ଛୁଆ ଦୌଡ଼ିବାରୁ ସମସ୍ତଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ବହୁ ପରିଶ୍ରମ ପରେ ଶେଷରେ ହରିଣଛୁଆଟି ଧରାଦେଇଥିଲା।

ସମ୍ବନ୍ଧିତ ଖବର