କଟକ : ରାଜ୍ୟର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପାଇଁ ପୋଷାକ ଭତ୍ତା ପ୍ରଦାନ କରିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ବର୍ଷକୁ ଜଣେ କର୍ମଚାରୀଙ୍କୁ ପୋଷାକ ଓ ଅନ୍ୟ ଆନୁସଙ୍ଗିକ ଜିନିଷ କିଣିବାକୁ ୫୭୦୦ ଟଙ୍କା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ମିଳିଥିବା ସୂଚନା ଅନୁସାରେ, ସହକାରୀ ଅଗ୍ନିଶମ ଅଧିକାରୀ, ଷ୍ଟେସନ ଅଫିସର, ଫିଟର ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ୍ ଷ୍ଟେସନ ଅଫିସର, ହାବିଲଦାର ମେଜର, ଫାୟାରମ୍ୟାନ/ଫାୟାରମ୍ୟାନ ଡ୍ରାଇଭର ଓ ହେଲପର ଫାୟାରମ୍ୟାନଙ୍କୁ ଏହି ପରିମାଣର ଅର୍ଥାତ୍ ୫୭୦୦ ଟଙ୍କା ଲେଖାଏଁ ଭତ୍ତା ମିଳିବ। ସେହିଭଳି ଲିଡିଂ ଫାୟାରମ୍ୟାନ, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକଙ୍କୁ ବର୍ଷକୁ ୫୮୦୦ ଟଙ୍କା ମିଳିବ। ବିଭାଗର ଅର୍ଡରଲିମାନଙ୍କୁ ବାର୍ଷିକ ୨୦୦୦ ଟଙ୍କା ମିଳିବ। ଏଥିପାଇଁ ୨ କୋଟି ୪୦ ହଜାର ଟଙ୍କାର ବଜେଟ୍ ହୋଇଛି। ୨୦୨୨-୨୩ ବର୍ଷ ପାଇଁ ଏହି ବଜେଟ୍ କରାଯାଇଛି। ପ୍ରତିବର୍ଷ ଜୁଲାଇ ମାସରେ କର୍ମଚାରୀଙ୍କୁ ଏହି ଭତ୍ତା ପ୍ରଦାନ କରାଯିବ। ତେବେ ୬ ମାସରୁ କମ୍ ଚାକିରି କରିଥିବା କର୍ମଚାରୀଙ୍କୁ ଏ ଭତ୍ତା ମିଳିବ ନାହିଁ ବୋଲି ରାଜ୍ୟ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।