ଗୁଣି ସନ୍ଦେହରୁ ଗୁଳି, ବର୍ତ୍ତିଗଲେ ଧର୍ମଯାଜକ

ଚନ୍ଦ୍ରଗିରି : ଗଜପତି ଜିଲ୍ଲା ମୋହନା ବ୍ଳକ୍‌ ଓ ଅଡ଼ବା ଥାନା ଅନ୍ତର୍ଗତ ଜାଡୁଙ୍ଗୀ ଗ୍ରାମରେ ଜଣେ ଧର୍ମଯାଜକଙ୍କୁ ଗୁଣି ସନ୍ଦେହରୁ ଗୁଳିମା‌ଡ଼ ହୋଇଛି। ତେବେ ‌ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଛନ୍ତି। ରବିବାର ଜାଡୁଙ୍ଗୀ ଗ୍ରାମର ପାଷ୍ଟର୍ ଡମ୍ବରୁଧର ମାଝୀ (୩୩) ନିଜ ଗ୍ରାମରୁ ବାଇକ୍‌ ଯୋଗେ କରଡ଼ାବାଡ଼ି ପ୍ରାର୍ଥନା କରିବା ପାଇଁ ଯାଉଥିଲେ। ସାରୁମେରା ନିକଟରେ ୩ ଜଣ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ହେଲେ ଗୁଳି ତାଙ୍କ ଦେହରେ ନବାଜି ବାଇକ୍‌ରେ ବାଜିଥିଲା। ବାଇକ୍‌ ତଳେ ପକାଇ ଜୀବନ ବଞ୍ଚାଇବା ପାଇଁ ଡମ୍ବରୁଧର ଦୌଡ଼ିବା ବେଳେ ୨ଜଣ ଦୁର୍ବୃତ୍ତ ପିଛା କରିବା ସହ ରାସ୍ତାରେ ଅଟକାଇ ତାଙ୍କୁ ପଥର ମାଡ଼ କରିଥିଲେ। ମୁଣ୍ତରେ ଆଘାତ ସତ୍ତ୍ବେ ସେ ଖସି ଦୌଡ଼ି ଆସି ବ୍ରାହ୍ମଣୀଗାଁ ମେଡିକାଲରେ ପହଞ୍ଚିଲେ। ପ୍ରାଥମିକ  ଚିକିତ୍ସା କରାଇ ଅଡ଼ବା ଥାନାରେ ଅଭିଯୋଗ କରିଥିଲେ। ଦୁର୍ବୃତ୍ତ ତାଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି। ଜାଡୁଙ୍ଗି ଗ୍ରାମର ପ୍ରମୋଦ ଓରଫ ସାଗର ମାଝୀ ଓ ତାଙ୍କ ସହ ୨ ଜଣ ମିଶି ଗୁଳି କରିଥିବା ନେଇ ଧର୍ମଯାଜକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ୨ଟି ଖୋକା ଜବତ କରିବା ସହ ମାମଲା ରୁଜୁ କରିଛି।

ପୁଲିସ ସୂଚନା ପ୍ରକାରେ, ଗ୍ରାମର ସାଗର ମାଝୀଙ୍କ ଏକ ୯ ମାସର ପୁଅର ଗତବ‌ର୍ଷ ଅଗଷ୍ଟ ୨୭ ତାରିଖରେ ମୃତ୍ୟୁ ହୋଇଥିଲା। ଏନେଇ ଧର୍ମଯାଜଜ ଡମ୍ବରୁଧର ଓ ତାଙ୍କ ବାପା ଗୁଣିଗାରେଡ଼ି କରିଥିବା ନେଇ ସାଗର ସନ୍ଦେହ କରିଥିଲେ। ଗ୍ରାମରେ ଏକ ବୈଠକ ଡାକି ସମାଧାନ କରାଯାଇଥିଲା। ଉଭୟ ହାତ ମିଳାଇ ସେଠାରୁ ଫେରିଥିଲେ। ବୈଠକରେ ଆଲୋଚନା ପ୍ରକାରେ ଗ୍ରାମବାସୀଙ୍କୁ ଧର୍ମଯାଜକଙ୍କ ପକ୍ଷରୁ ଭୋଜି ଭାତ ଦେବା ପାଇଁ  ନିଷ୍ପତ୍ତି ହୋଇଥିଲା। ପରେ କିନ୍ତୁ ସେହି ଭୋଜିଭାତ ପାଇଁ ଗ୍ରାମବାସୀ ମନା କରି ଦେଇଥିଲେ। ଗୁଣିଗାରେଡ଼ି ସନ୍ଦେହ ମନରେ ବସା ବାନ୍ଧି ସାରିଥିବା ବେଳେ ଗତକାଲି ପ୍ରତିଶୋଧପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା କୁହାଯାଇଛି। ତେବେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ତୁରନ୍ତ ଧରାଯିବ ବୋଲି ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର