ପୁରୀ: ଗତକାଲି ଯେତେବେଳେ ସମସ୍ତେ ଘରେ ଘରେ ଦୀପ ଲଗାଇ ଦୀପାବଳି ଉତ୍ସବ ପାଳନ କରିବା ସହ ବାଣ ଫୁଟାଉଥିଲେ, ସେହି ସମୟରେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳରେ ଅପରାଧୀମାନେ ଗୁଳି ଫୁଟାଇଛନ୍ତି। ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଙ୍କ ଭାଇ ଚନ୍ଦନପୁର ଥାନାରେ ପକରିଥିବା ଅଭିଯୋଗଆଧାରରେ ପୁଲିସ ୧୬୨/୨୨ ନମ୍ବରରେ ଏକ ମାମଲା ରୁଜୁକରି ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ଚନ୍ଦନପୁର ଥାନା ଅନ୍ତର୍ଗତ ଥେଣ୍ଟପୁର ଗ୍ରାମ ଡୁଗୁରେଇ ମନ୍ଦିର ପାଖରେ ପ୍ରାୟ ସାଢ଼େ ନଅଟା ସମୟରେ ନିଲୁ ବରାଳ ଓ ଦଶମାଣସାହିର ସୁରଥ ବେହେରାଙ୍କ ପୁଅ ଶଙ୍କର ବେହେରା(୧୮) ଦୁହେଁ ବସିଥିଲେ। ଏହିସମୟରେ ଏକ ବାଇକ୍‌ରେ ଦୁଇ ଜଣ ଆସି ସେମାନଙ୍କ ଉପରକୁ ମାତ୍ର କିଛି ଫୁଟ ଦୂରରୁ ଦୁଇ ରାଉଣ୍ଡ ଗୁଳି କରିଥିଲେ। ଗୋଟିଏ ଗୁଳି ଯାଇ ଶଙ୍କରଙ୍କ ତଳି ପେଟରେ ବାଜିଥିବା ବେଳେ ଅନ୍ୟଟି ନିଲୁଙ୍କ ବାମ ଗୋଡ଼ ଆଣ୍ଠୁରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ଶଙ୍କର ଟଳି ପଡ଼ିଥିବା ବେଳେ ନିଲୁ ଆହତ ହୋଇ ମଧ୍ୟ ସେଠାରୁ ଦୌଡ଼ି ପଳାଇଥିଲେ। ଗୁଳି ଫୁଟିବା ଶବ୍ଦ ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଶଙ୍କରଙ୍କୁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଶଙ୍କରଙ୍କୁ ଡାକ୍ତର ମୃତ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ। ସେହିପରି ନିଲୁ ମଧ୍ୟ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଖବର ପାଇ ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳ ଓ ଡାକ୍ତରଖାନାକୁ ଯାଇ ତଦନ୍ତ ଆରମ୍ଭ କରିଛି।

ମୃତ ଶଙ୍କରଙ୍କ ସହ ଅନ୍ୟ କାହା ସହିତ କୌଣସି ବିବାଦ ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ତେବେ, ଶଙ୍କର ପାଖରେ ବସିଥିବା ନିଲୁ ବହୁ ଅପରାଧରେ ସମ୍ପୃକ୍ତ ଥିବା ବେଳେ ୪ ଦିନ ତଳେ ଜେ୍‌ଲରୁ ବାହାରି ଥିଲେ। ହୁଏତ ତାଙ୍କୁ ଟାର୍ଗେଟ୍‌ କରାଯାଇଥିଲା ବୋଲି ପୁଲିସ ସନ୍ଦେହ କରୁଛି।

publive-image

ପିପିଲି: ପୁଣି ଅଶାନ୍ତ ହୋଇଛି ପିପିଲି। ଦୀପାବଳିରେ ବାଣ ବଦଳରେ ଫୁଟିଛି ଗୁଳି ଓ ହୋଇଛି ବୋମାମାଡ଼। ସୋମବାର ଅପରାହ୍ନ ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ହେଉଛନ୍ତି ପିପିଲି ଥାନା ଉଜାଣିପଡ଼ା ଗାଁର ସନାତନ ପ୍ରଧାନ(ସାନୁ–୩୦)। ଅତି ନିକଟରୁ ଗୁଳିମାଡ଼ କରାଯାଇଥିବାରୁ ତାଙ୍କ ପକେଟରେ ଥିବା ମୋବାଇଲ ଫଟାଇ ଗୁଳିଟି ତାଙ୍କ ଡାହାଣ ଗୋଡ଼ ଜଙ୍ଘରେ ବାଜିଛି। ପିପିଲି ପୌରାଞ୍ଚଳର ୭ନମ୍ବର ୱାର୍ଡ ଅନ୍ତର୍ଗତ ମସ‌ଜିଦ୍‌ସାହି ନିକଟ ରାସ୍ତାରେ ଏହି ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ ପରେପରେ ଏକାଧିକ ବୋମାମାଡ଼ ବି ହୋଇଛି। ଗୁରୁତର ସାନୁଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ପିପିଲି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏନେଇ ପିପିଲି ଥାନା କେସ ନଂ.୫୫୯ ଓ ୫୬୦ରେ ଦୁଇଟି ମାମଲା ରୁଜୁ ହୋଇଛି। ପୂର୍ବ ଶତୃତାକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ପୁଲିସ କହିଛି।

ଡମପଡ଼ା: ବାଣ ଗୋଦାମରୁ ଦାଦା ବଟି ଆଦାୟକୁ ନେଇ ବାଙ୍କୀ ଅଞ୍ଚଳରେ ଲଗାତାର ଦୁଇଦିନରେ ଦୁଇଥର ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି। ବାଙ୍କୀ-କଟକ ମୁଖ୍ୟ ରାସ୍ତାର ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ନିକଟରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, କଟକ ଚୌଧୁରୀବଜାର ନନ୍ଦୀସାହି ବାଣ ବ୍ୟବସାୟୀ ସଂଘର ୫ଜଣ ବ୍ୟବସାୟୀ ଗୟଳବାଙ୍କ ନିକଟ ମୁଖ୍ୟରାସ୍ତା ପାର୍ଶ୍ବ ଏକ ଦୋକାନ ଘରେ ବାଣ ବ୍ୟବସାୟ କରୁଥିଲେ। ଗଲା ଶୁକ୍ରବାର ଦିନ କେତେକ ଦୁର୍ବୃତ୍ତ ସେଠାରେ ପହଞ୍ଚି ବାଣ ବ୍ୟବସାୟୀମାନଙ୍କୁ ବଟି ମାଗିଥିଲେ। ବ୍ୟବସାୟୀମାନେ ମନା କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କ କାର୍‌ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଗଣେଶ ରାଉତ ଓ ସରୋଜ ସାହୁ ଆହତ ହୋଇଛନ୍ତି। ତେବେ, ସରୋଜଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।