କୋଦଗାଡ଼ିଆ ହାଇସ୍କୁଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ କୋଦଗାଡ଼ିଆ ପଞ୍ଚାୟତରେ ଥିବା କୋଦଗାଡ଼ିଆ ହାଇସ୍କୁଲ୍‌ରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ବିଦ୍ୟାଳୟ‌ ରୂପନ୍ତରୀକରଣ କାମ ଚାଲିଥିଲା। ନିଆଁ ଲାଗି ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ବହୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, କୋଦଗାଡ଼ିଆ ହାଇସ୍କୁଲ୍‌କୁ ୫-ଟି ଯୋଜନାରେ ସାମିଲ କରାଯାଇ ରୂପାନ୍ତରୀକରଣ କାମ କରାଯାଉଥିଲା। ଏଥିପାଇଁ ବିଦ୍ୟାଳୟରେ କମ୍ପ୍ୟୁଟର, ଏଲ୍‌ଇଡି, ଇନ୍‌ଭର୍ଟର, ବ୍ୟାଟେରି ଏବଂ ଫଟୋକପି ମେସିନର ଆଦି ଆଣି ରଖାଯାଇଥିଲା। ଆଜି ପୂର୍ବାହ୍ନରେ‌ କମ୍ପ୍ୟୁଟର ରହୁତିବା କୋଠରି ଭିତରୁ କଳାଧୂଆଁ ବାହାରୁଥିଲା। ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଏହା ଦେଖି ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଖବର ଦେଇଥିଲେ। ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଏ ସମ୍ପର୍କରେ ଚମ୍ପୁଆ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁଲିଭା କାମ ଆରମ୍ଭ କରିଥି‌ଲେ। ହେଲେ ଆବଶ୍ୟକ ପାଣି ନଥିବା ଏବଂ ପମ୍ପ ଖରାପ ଯୋଗୁଁ ନିଆଁଲିଭା କାମ ବାଧାପ୍ରାପ୍ତ ହୋଇଥିଲା। ଏପରିକି ଗ୍ରାମବାସୀ ମଧ୍ୟ ପାଣି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହୋଇଥିଲେ। ଶେଷରେ ବିଲେଇପଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଅଗ୍ନିକାଣ୍ଡରେ ବିଦ୍ୟାଳୟ‌ ଶ୍ରେଣୀଗୃହରେ ଥିବା ଆସବାବପତ୍ର, ବହୁ କମ୍ପ୍ୟୁଟର, ଏଲ୍‌ଇଡି, ଫଟୋକପି ମେସିନ ଏବଂ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। କମ୍ପ୍ୟୁଟର ‌ରହୁଥିବା ଗୋଟିଏ କୋଠରି ଏବଂ ଏକ ଶ୍ରେଣୀଗୃହ ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର