ଦୀପାବଳିରେ ଅଘଟଣ: ରାଜ୍ୟର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ; ଜଣେ ମୃତ, ବ୍ୟାପକ ସମ୍ପତ୍ତି ନଷ୍ଟ

କଟକ/କାମାକ୍ଷାନଗର/କେନ୍ଦ୍ରାପଡା: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡ଼ସୁଆଁଳ ଗାଁରେ ସୋମବାର ସନ୍ଧ୍ୟାରେ ବାଣ ଦୋକାନରେ ନିଆଁ ଲାଗି ୪ ଜଣ ଗୁରୁତର ହୋଇପଡିଥିଲେ। ଗୁରୁତର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ଦୁଷ୍ମନ୍ତ ନାୟକ।

ସୂଚନାଯୋଗ୍ୟ, ବଡ଼ସୁଆଁଳ ଗାଁରେ ଥିବା ଏକ ବାଣ ଦୋକାନରେ ସୋମବାର ସନ୍ଧ୍ୟାରେ ବିସ୍ଫୋରଣ ଘଟିଥିଲା। ଏଥିରେ ନାବାଳକ ଓ ନାବାଳିକାଙ୍କ ସହ ୪ ଜଣ ଗୁରୁତର ହୋଇଥିଲେ ଏଥିରେ ବାପ-ପୁଅ ଦୁଷ୍ମନ୍ତ ନାୟକ ଓ ୯ ବର୍ଷର ନାବାଳକ ପ୍ରତୀକ ସାମିଲ ଥିଲେ। ଗୁରୁତରଙ୍କ ମଧ୍ୟରେ ୩ ଜଣ (ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ ଓ ପ୍ରତୀକ) ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଢେଙ୍କାନାଳ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ବଡ଼ସୁଆଁଳ ଗାଁର ଦୋକାନରେ ବାଣ ବିକ୍ରି କରୁଥିବା ବେଳେ ହଠାତ ବାଣ ବିସ୍ଫୋରଣ ଘଟିଥିଲା। ବାଣ କିଣିବାକୁ ଆସିଥିବା ଗ୍ରାହକମାନେ ଗୁରୁତର ହୋଇଥିଲେ। ପ୍ରାୟ ୧୨ ଜଣ ଗ୍ରାହକ ଛିଡା ହୋଇ ବାଣ କିଣୁଥିବା ବେଳେ ଏ ବଡ଼ ଧରଣର ଅଘଟଣ ଘଟିଥିଲା। ଜୋରରେ ଆବାଜ ହେବା ଯୋଗୁଁ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ।

ସେହିପରି ସୋମବାର ରାତିରେ କଟକର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ନୟାସଡ଼କ ଠାରେ ଥିବା ଏହି ଲୁଗା ଦୋକାନରେ ବାଣ ଫୁଟା ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଗାଡି ଆସି ନିଆଁ ଲିଭାଇବା ଉଦ୍ୟମ ଜାରି ରହିଛି। ଦୀପାବଳି ଉତ୍ସବ ଉପଲକ୍ଷେ ଚାରିଆଡ଼େ ଆତସବାଜି ଫୁଟା ଚାଲିଛି। କଟକରେ ଧୂମଧାମରେ ଏହି ଉତ୍ସବ ପାଳିତ ହେଉଥିବାବେଳେ ଆତସବାଜି ଫୁଟୁଥିଲା। ତେବେ ବାଣର ନିଆଁ ଝୁଲ ନିକଟସ୍ଥ ‌ଲୁଗା ଦୋକାନରେ ପଡିଥିଲା। ଫଳରେ ହଠାତ ଲୁଗାକୁ ନିଆଁ ଧରିଥିଲା। ସେତେବେଳେ ଉକ୍ତ ଦୋକାନରେ ଜଣେ କର୍ମଚାରୀ ଥିଲେ ବୋଲି କୁହାଯାଉଛି। ଚାହୁଁ ଚାହୁଁ ହୁ ହୁ ହୋଇ ଲୁଗାଗୁଡିକ ଜଳି ଉଠିଥିଲା। ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଦମକଳ କର୍ମଚାରୀମାନେ ଆସି ନିଆଁ ଲିଭାଇଛନ୍ତି। ଦୋକାନରେ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ କର୍ମଚାରୀ ଜଣଙ୍କର ସେଭଳି କିଛି କ୍ଷତି ହୋଇନାହିଁ। ସେ ସୁସ୍ଥ ଥିବା ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି। ତେବେ ହଠାତ୍‌ ପଦକ୍ଷେପ ନେବା ପରେ ଏତେ ବଡ ଦୁର୍ଘଟଣାକୁ ରୋକାଯାଇପାରିଛି। ନିଆଁ ଅନ୍ୟ ଦୋକାନକୁ ଧରିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଛି। ତେବେ କେତେ ଲୁଗା ଜଳିଛି ତାହାର ତଥ୍ୟ ମିଳିନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ସେହିପରି ଅନ୍ୟ ଏକ ଘଟଣାରେ ଦୀପାବଳି ପାଇଁ ରାଜ୍ୟବାସୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଲୋକେ ବ୍ୟସ୍ତ ଥିବା ବେଳେ ମହାକାଳପଡା ବ୍ଲକ ବଡିହି ପଂଚାୟତର ଛତର ଗ୍ରାମରେ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି। ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଜଳି ଯାଇଛି। ଫଳରେ ଲୋକଙ୍କର ବହୁ ମୂଲ୍ୟବାନ ଜିନିଷ ସହିତ ଅନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ଛତର ଗାଁର ରବି ଜେନା, ସଞ୍ଜୟ ଜେନା, ପବିତ୍ର ଜେନା, ସୁଶାନ୍ତ ଜେନା, ସନ୍ତୋଷ ଜେନା, ଦିଲ୍ଲୀପ ଜେନା ଓ ଲକ୍ଷ୍ମଣ ଜେନାଙ୍କ ଘରେ ନିଆଁ ଲାଗିଥିଲା। ଅଳ୍ପ ସମୟ ମଧ୍ୟରେ ଏହି ନିଆଁ ଚାରିଆଡ଼େ ବ୍ୟାପିଥିଲା। ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ମାଡ଼ି ଚାଲିଥିଲା। ଗାଁ ଲୋକଙ୍କର ଠାରୁ ସୂଚନା ପାଇ ଦମକଳ ବାହିନୀର ଗାଡି ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହିତ ଧାନ-ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି। ସେହିଭଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର