ଭୁବନେଶ୍ବର: କୋଲକାତାରୁ ପାରାଦୀପ ଆସୁଥିବା ଯାତ୍ରୀବାହୀ ସ୍ଲିପର୍ ବସ୍ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ଗପୁର ଡେବ୍ରା ନିକଟରେ ଗତକାଲି ରାତିରେ ଜଳିଯାଇ ଜଣେ ମହିଳାଙ୍କର ମୃତ୍ୟୁ ଓ କେତେକଙ୍କ ଆହତ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ବସରେ କେତେକ ଯାତ୍ରୀ ବାଣ ଆଣୁଥିବା କାରଣରୁ ନିଆଁ ଲାଗି ଜଳି ଯାଇଥିବା କୁହାଯାଉଛି। ଏହା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀବାହୀ ବସରେ ବାଣ, ବିସ୍ଫୋରକ ସାମଗ୍ରୀ, ଦହନଶୀଳ ପଦାର୍ଥ ନିଆଯାଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର ଅମିତାଭ ଠାକୁର। ସେହିପରି ବାଲେଶ୍ବର ସୀମା ଦେଇ କୋଲକାତାରୁ ପ୍ରବେଶ କରୁଥିବା ସମସ୍ତ ବସକୁ ଆଜି ଲକ୍ଷ୍ମଣନାଥ ଫାଟକ ପାଖରେ ଆରଟିଓ ପକ୍ଷରୁ ଯାଞ୍ଚ କରାଯାଇଛି।

Advertisment

ସେହିପରି ରାଜ୍ୟରେ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଯାତ୍ରୀବାହୀ ବସକୁ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସଚେତନତା ବାର୍ତ୍ତା ଜାରି କରାଯିବା ସହ ବସ, କାର୍, ଟ୍ୟାକ୍ସି କିମ୍ବା କୌଣସି ଯାତ୍ରୀବାହୀ ଗାଡ଼ିରେ ବାଣ, ବିସ୍ଫୋରକ ଦ୍ରବ୍ୟ ଓ ଦହନଶୀଳ ପଦାର୍ଥ ନ ନେବା ଲାଗି ଅନୁରୋଧ କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ବର ଉପ ଅଗ୍ନିଶମ ଅଧିକାରୀ ଅବନୀ କୁମାର ସ୍ବାଇଁ। ଏଠାରେ ଉଲ୍ଲେଖଯୋଗ୍ୟ, ଚଳନ୍ତା ବସରେ ବିସ୍ଫୋରକ ସାମଗ୍ରୀ, ଦହନଶୀଳ ପଦାର୍ଥ ନିଆଯାଉଥିଲେ ଅତ୍ୟଧିକ ଗରମ ହୋଇ ନିଆଁ ଲାଗିଯିବାର ସମ୍ଭାବନା ରହିଛି।