ସାମାଜିକ କର୍ମୀଙ୍କୁ ଗୁଳି କରି ହତ୍ୟା

ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳର ବାଲିଗୁଡ଼ା ସହରରେ ଘରୁ ଡାକି ନେଇ ଜଣେ ସାମାଜିକ କର୍ମୀ ଅଭିମନ୍ୟୁ ପଣ୍ଡା(୫୮)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁଇ ଅଜ୍ଞାତ ଲୋକ। ଆଜି ସକାଳ ସାଢ଼େ ୬ଟାରେ ଘଟିଛି ଏଭଳି ବୀଭତ୍ସ ଘଟଣା। ଦୁଇ ଜଣ ଯୁବକ ଅଭିମନ୍ୟୁଙ୍କ ଘରକୁ ଆସି ଡାକିଥିଲେ। ସେ ବାହାରକୁ ଆସିବା ପରେ ସେମାନେ ତାଙ୍କୁ କିଛି କାଗଜପତ୍ର ଦେଇଥିଲେ। ଏହାପରେ କୌଣସି କଥାକୁ ନେଇ ଦୁଇ ଯୁବକ ଓ ଅଭିମନ୍ୟୁଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସେମାନେ ଅଭିମନ୍ୟୁଙ୍କୁ ଗୁଳିମାଡ଼ କରିଥିଲେ। ଗୁଳିବିଦ୍ଧ ଅଭିମନ୍ୟୁ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଦୁଇ ଅଭିଯୁକ୍ତ ସେଠାରୁ ଚମ୍ପଟ୍‌ ମାରିଥିଲେ। ଗୁରୁତର ଅବସ୍ଥାରେ ଅଭିମନ୍ୟୁଙ୍କୁ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିମନ୍ୟୁ ଜଣେ ଜଣାଶୁଣା ସୂଚନା ଅଧିକାର ଓ ସାମାଜିକ କର୍ମୀ। ଦୁର୍ନୀତି ଓ ଅନିୟମିତତାକୁ ସେ ବିରୋଧ କରି ଆସିଛନ୍ତି। ସେଥିନିମନ୍ତେ ସେ ସୂଚନା ଅଧିକାର ଆଇନ ବଳରେ ବିଭିନ୍ନ ବିଭାଗରୁ ତଥ୍ୟ ମାଗିଥାଆନ୍ତି। ଏହି କାରଣରୁ ତାଙ୍କୁ ସୁପାରି କିଲର୍‌ ଲଗାଇ ହତ୍ୟା କରା ଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର