ଭୁବନେଶ୍ୱର : ପୁଣି ଅଶାନ୍ତ ହୋଇପଡ଼ିଛି ରାଜଧାନୀ। ଗାଡ଼ିରେ ତେଲ ପକାଇବାକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ ଝାରପଡ଼ା ଓଭରବ୍ରିଜ୍ ନିକଟ ପେଟ୍ରୋଲ ପମ୍ପରେ ଗୁଳି ଫୁଟିଛି। ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ, ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା ବିଶ୍ବଜିତ୍ ବେହେରା। ତାଙ୍କ ବାମ ଗୋଡ଼ ଗୋଇଠିରେ ଗୁଳି ବାଜିଛି। ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।
ସୂଚନା ମୁତାବକ, ଟ୍ରେଡ୍ ୟୁନିଅନ୍ ବନ୍ଦ ଡାକରା ଦେଇଥିବାରୁ ଆଜିଠାରୁ ଦୁଇଦିନ ପର୍ଯ୍ୟନ୍ତ ରାଜଧାନୀର ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ତେଣୁ ଗାଡ଼ିରେ ତେଲ ପକାଇବା ପାଇଁ ରାତି ପ୍ରାୟ ୯ଟାରୁ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଭିଡ଼ ଲାଗି ଯାଇଥିଲା। ଶହଶହ ଗାଡ଼ି ପେଟ୍ରୋଲ ପମ୍ପ ଆଗରେ ଧାଡ଼ିରେ ଛିଡ଼ା ହୋଇଥିଲେ। ତେବେ ରାତି ପ୍ରାୟ ୧୧ଟା ବେଳେ ଝାରପଡ଼ା ଓଭରବ୍ରିଜ୍ ନିକଟ ପେଟ୍ରୋଲ ପମ୍ପ ଆଗରେ ଗାଡ଼ିଗୁଡ଼ିକ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ କିଛି ଯୁବକ ଏକ ଇନୋଭା କାର୍ରେ ଆସି ଆଗ ତାଙ୍କ ଗାଡ଼ିରେ ତେଲ ପକାଇବାକୁ କହିଥିଲେ। କିନ୍ତୁ ପେଟ୍ରୋଲ ପମ୍ପ କର୍ମଚାରୀ ମନା କରିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଏଥିରେ ରାଗିଯାଇ ଯୁବକମାନେ ତାଙ୍କର କିଛି ସହଯୋଗୀଙ୍କୁ ପେଟ୍ରୋଲ ପମ୍ପ ନିକଟକୁ ଡକାଇଥିଲେ। କିଛି ସମୟ ମଧ୍ୟରେ ଦୁଇଟି ବାଇକ୍ରେ କିଛି ଯୁବକ ସେଠାରେ ପହଞ୍ଚି ଆତଙ୍କ ଖେଳାଇଥିଲେ।
/sambad/media/post_attachments/wp-content/uploads/2021/07/firing-300x169.jpg)
ସେମାନେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକଚମକ ଦେଇଥିଲେ। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ପେଟ୍ରୋଲ ପମ୍ପ କର୍ମଚାରୀମାନେ ସେମାନଙ୍କ ଗାଡ଼ିରେ ତେଲ ପକାଇ ଦେଇଥିଲେ। କିନ୍ତୁ ଏହା ପରେ ମଧ୍ୟ ଯୁବକମାନେ ଶାନ୍ତ ପଡ଼ିନଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ କାର୍ରୁ ବନ୍ଧୁକ ଆଣି ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲା। କିନ୍ତୁ ଲକ୍ଷ୍ୟଚ୍ୟୁତ ହେବାରୁ ଗୁଳିଟି ସେଠାକୁ ତେଲ ପକାଇବାକୁ ଆସିଥିବା ନୂଆପଲ୍ଲୀର ଯୁବକ ବିଶ୍ବଜିତ୍ଙ୍କ ବାମ ଗୋଡ଼ରେ ବାଜିଥିଲା। ଏହା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେହିପରି ଆଉ ଏକ ଘଟଣାକ୍ରମେ, ରବିବାର ରାତିରେ ବାୟାବାବା ମଠ ନିକଟରେ ପେଟ୍ରୋଲ ପକାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଜଣେ ଯୁବକ ଖଣ୍ଡାରେ ଅନ୍ୟ ଗୋଷ୍ଠୀର ଦୁଇ ଯୁବକଙ୍କୁ ଖଣ୍ଡାରେ ହାଣି ଦେଇଥିଲେ। ଆହତଦକ୍ବୟ ହେଲେ, ରିତେଶ ସାହୁ ଓ ସୁରେଶ ଦିଗାଲ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଦ୍ବୟ ଙ୍କୁ ଉଦ୍ଧାର କରି କ୍ୟାପିଟାଲ ହପିଟାଲରେ ଭର୍ତ୍ତି କରାଇଥିଲା।