ନିର୍ବାଚନ ପରବର୍ତ୍ତୀ ହିଂସା: ଘର ଆଗରେ ୨ ରାଉଣ୍ଡ ଗୁଳିଚାଳନା କରି ଦୁର୍ବୃତ୍ତ ଫେରାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ୨ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଘଟଣାଟି ଘଟିଛି ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମରେ। ଦହଣା ଗ୍ରାମର ଅଶ୍ବିନୀ ଦାସଙ୍କ ଘର ପଟକୁ ଲକ୍ଷ କରି ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା ହୋଇଛି। ଖବର ପାଇ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ୍, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ଅଶ୍ବିନୀ ଦାସଙ୍କ ଘର ଆଗରେ ଗୋଟିଏ ଜୀବନ୍ତ ଗୁଳି, ୨ଟି ଖୋଖା ଓ ଗୋଟିଏ ଫାଇରିଂ ଟିନ୍ ଜବତ କରିଛି ପୁଲିସ।

ଥାନା ଅଧିକାରୀ ଶ୍ରୀ ନାୟକଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ତାଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ଆଜି ରାତି ପ୍ରାୟ ୮.୩୦ରେ ୨ଟି ବାଇକ ଓ ଗୋଟିଏ କାରରେ ଦୁର୍ବୃତ୍ତମାନେ ଆସି ଦହଣା ଗ୍ରାମର ଅଶ୍ବିନୀ ଦାସଙ୍କ ଘର ଆଡକୁ ମୁହଁ କରି ୨ ରାଉଣ୍ଡ ଫାଇରିଂ କରି ଚାଲିଯାଇଥିଲେ। ତଦନ୍ତ ଚାଲୁ ରହିଛି। ତଦନ୍ତ ପରେ ହିଁ ସବୁକିଛି ଜଣାପଡିବ ବୋଲି କହିଛନ୍ତି । ତେବେ ରାଜନୈତିକ ସତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର